Sat. Feb 21st, 2026

ନ୍ୟୁଜ ଡେକ୍ସ : ପିଲାଦିନରୁ ବନ୍ଧୁକ ଚାଳନା ପ୍ରତି ଗଭୀର ଆଗ୍ରହ ଥିଲେ ମଧ୍ୟ ସେହି ସ୍ୱପ୍ନ ତାଙ୍କ ପାଇଁ ସହଜ ଥିଲା ନାହିଁ। ସାଧାରଣ ପରିବାରିକ ଜୀବନ, ଅଳ୍ପ ବୟସରେ ବିବାହ ଏବଂ ସନ୍ତାନ ସମ୍ଭାଳ ମଧ୍ୟରେ ତାଙ୍କର ଇଚ୍ଛା କେଉଁଠି ନ କେଉଁଠି ଦମିତ ହୋଇ ରହିଥିଲା। କିନ୍ତୁ ହାର ନମାନି ନିଜ ସ୍ୱପ୍ନକୁ ସାକାର କରିଛନ୍ତି ମଧ୍ୟପ୍ରଦେଶର ସାଗର ଜିଲ୍ଲାର ୩୬ ବର୍ଷିୟା ମହିଳା ପ୍ରତିଭା ସିଂ।ପିଲାଦିନରେ ନିଜେ ସୁଟିଂ ଶିଖିବାକୁ ଚାହୁଁଥିଲେ, କିନ୍ତୁ ସୁଯୋଗ ମିଳିନଥିଲା।

ପରେ ଝିଅ ବଡ଼ ହେବା ପରେ ତାଙ୍କୁ ସୁଟିଂ ଏକାଡେମିରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ। ହେଲେ ବୟସ ସମ୍ବନ୍ଧୀୟ କାରଣରୁ ଏକାଡେମି ଝିଅକୁ ଗ୍ରହଣ କରିନଥିଲା। ଏହି ସମୟରେ ସେ ନିଜ ସ୍ୱପ୍ନକୁ ପୁଣିଥରେ ଜୀବନ୍ତ କରିବାକୁ ନିଷ୍ପତ୍ତି ନେଲେ। ସ୍ୱାମୀଙ୍କର ଅନୁମତି ଓ ପରିବାରର ସମର୍ଥନରେ ସେ ନିଜେ ସୁଟିଂ ଅଭ୍ୟାସ ଆରମ୍ଭ କଲେ। ମାତ୍ର ୩ ବର୍ଷର କଠିନ ପରିଶ୍ରମ ମଧ୍ୟରେ ପ୍ରତିଭା ଜଣେ ପ୍ରଫେସନାଲ ସୁଟର ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ପିସ୍ତଲ ସୁଟିଂ ଚାମ୍ପିୟନସିପରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ତାଙ୍କୁ ଭାରତୀୟ ଦଳର ଗ୍ରୁପ୍ ‘ବି’ରେ ସ୍ଥାନ ଦେଇଛି। ମହିଳା ଜାତୀୟ ଦଳରେ ସ୍ଥାନ ପାଇ ସେ ଇତିହାସ ସୃଷ୍ଟି କରିଥିବାରୁ ସମସ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଆନନ୍ଦ ଦେଖାଦେଇଛି।

ଦୁଇଟି ପିଲାର ମା ହେବା ସତ୍ତ୍ୱେ ପ୍ରତିଭା ପ୍ରତିଦିନ ନିରନ୍ତର ଅଭ୍ୟାସ କରନ୍ତି। ପରିବାରୀକ ଦାୟିତ୍ୱ ସହିତ ସେ ନିଜ କ୍ୟାରିୟର ଉପରେ ସମାନ ଗୁରୁତ୍ୱ ଦେଇଥାନ୍ତି। ସଠିକ ଲକ୍ଷ୍ୟରେ କିପରି ଗୋଲି ଲାଗିବ, ତାହା ପାଇଁ ସେ ବିଶେଷ ଧ୍ୟାନ ଦେଇ ଅଭ୍ୟାସ କରନ୍ତି। ଅନ୍ୟ ସୁଟରମାନଙ୍କ ଜୀବନଶୈଳୀ ଓ ନିଜ ଜୀବନଶୈଳୀକୁ ତୁଳନା କରି ସେ ନିଜକୁ ଆହୁରି ଉନ୍ନତ କରିବାରେ ଲାଗି ରହିଛନ୍ତି। ପ୍ରତିଭାଙ୍କ କହିବାନୁସାରେ, “ଯଦି ଜଣେ ମଣିଷ ନିରନ୍ତର ପ୍ରଚେଷ୍ଟା ଜାରି ରଖେ, ତେବେ ସଫଳତା ନିଶ୍ଚୟ ମିଳେ।” ତାଙ୍କର ଏହି ସଫଳତା ସମସ୍ତ ନାରୀଙ୍କ ପାଇଁ ଏକ ବଡ଼ ପ୍ରେରଣା ହୋଇଛି। ପ୍ରତିଭା ଆଗାମୀ ଦିନରେ ଦେଶ ପାଇଁ ଆହୁରି ଅନେକ କୃତିତ୍ୱ ଆଣିବେ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *