ନ୍ୟୁଜ ଡେକ୍ସ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ୪ର୍ଥ ଟି୨୦ ମ୍ୟାଚ ଅତ୍ୟଧିକ କୁହୁଡି କାରଣରୁ ସମୟମତେ ଆରମ୍ଭ ହୋଇପାରିନି। ଦୃଶ୍ୟମାନତା କମ୍ ଥିବାରୁ ଅମ୍ପାୟରମାନେ ମ୍ୟାଚ ଆରମ୍ଭକୁ କିଛି ସମୟ ପାଇଁ ସ୍ଥଗିତ ରଖିଛନ୍ତି।ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି।
ଖରାପ ଫର୍ମରେ ଥିବା ଉପଅଧିନାୟକ ଶୁଭମନ ଗିଲ ଆଘାତ ସମସ୍ୟା ଯୋଗୁ ବାକି ସମସ୍ତ ମ୍ୟାଚରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଚୂଡାନ୍ତ ଦଳରେ ସୁଯୋଗ ମିଳିବାର ସମ୍ଭାବନା ରହିଛି।ସୂଚନା ଅନୁଯାୟୀ, ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ସମୟରେ ଶୁଭମନ ଗିଲ ବେକରେ ଆଘାତ ପାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଲକ୍ଷ୍ନୌର ଉଡଲାଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ଏହା ପରେ ସେ ଦ୍ୱିତୀୟ ଟେଷ୍ଟ ଓ ଦିନିକିଆ ସିରିଜରୁ ବାହାରିଯାଇଥିଲେ।
ଭାରତ ଟେଷ୍ଟ ସିରିଜ ହାରିବା ପରେ ଦିନିକିଆ ସିରିଜରେ ବିଜୟ ହାସଲ କରିଥିଲା। ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଶୁଭମନଙ୍କୁ ଟି୨୦ ଦଳରେ ସାମିଲ କରାଯାଇଥିଲା। କ୍ରମାଗତ ଦୁଇଟି ମ୍ୟାଚ ଖେଳିବା ପରେ ସେ ନେଟ୍ସରେ ଅଭ୍ୟାସ କରୁଥିବା ବେଳେ ଆଙ୍ଗୁଳିରେ ପୁନର୍ବାର ଆଘାତ ପାଇଥିଲେ। ତାଙ୍କୁ ଦ୍ରୁତ ଆରୋଗ୍ୟ ଲାଭ କରାଇବା ଉଦ୍ଦେଶ୍ୟରେ ବାକି ମ୍ୟାଚରୁ ବାଦ ଦିଆଯାଇଛି।ଉଲ୍ଲେଖନୀୟ ଯେ, ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ ବର୍ତ୍ତମାନ ୨-୧ରେ ଅଗ୍ରଣୀ ରହିଛି। ଏମିତି ସ୍ଥିତିରେ ଚତୁର୍ଥ ଟି୨୦ ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।

