Fri. Apr 17th, 2026

ନ୍ୟୁଜ ଡେକ୍ସ : ବହୁଚର୍ଚ୍ଚିତ ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ‘ହାପି’କୁ ପୋଲିସ ଗିରଫ କରିଛି। ଗଞ୍ଜାମରେ ଆତ୍ମଗୋପନ କରିଥିବା ବେଳେ ସ୍ପେଶାଲ ସ୍କ୍ୱାଡ୍ ତାକୁ ଉଠାଇ ଆଣିଥିବା ସୂଚନା ମିଳିଛି।ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ସୂଚନା ଦେଇ କହିଛନ୍ତି ଯେ, ହାପିର ଅନ୍ୟ ୨ ଜଣ ସହଯୋଗୀ ଏବେବି ଫେରାର୍ ଅଛନ୍ତି ଏବଂ ଖୁବଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ।ସୂଚନା ଅନୁସାରେ, ଦୟା ନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ପରେ ହାପି ପ୍ରଥମେ ଖୋର୍ଦ୍ଧା ଅଞ୍ଚଳରେ ଆତ୍ମଗୋପନ କରିଥିଲା।

ପରେ ସେ ଗଞ୍ଜାମ ଚାଲିଯାଇଥିଲା। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ଶେଷରେ ଗଞ୍ଜାମରେ ଲୁଚିଥିବା ବେଳେ ପୋଲିସ ତାକୁ କାବୁ କରିଛି। ଏହି ଗଣଦୁଷ୍କର୍ମ ମାମଲା ଏବେ କମିଶନରେଟ୍ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ, ଘଟଣାକୁ ସପ୍ତାହେ ବିତିଯାଇଥିଲେ ମଧ୍ୟ ସମସ୍ତ ଅଭିଯୁକ୍ତ ଧରାପଡ଼ିନାହାନ୍ତି। ମାମଲାଟି ‘ରେଡ୍ ଫ୍ଲାଗ୍’ ଅନ୍ତର୍ଗତ ହେବା ପରେ ଧଉଳି ଥାନା ପୋଲିସ ସହ କ୍ରାଇମ୍ ବ୍ରାଞ୍ଚ ତଦନ୍ତକୁ ମନିଟରିଂ କରୁଛି।ଚମକପ୍ରଦ ସୂଚନା ହେଉଛି, ଗଣଦୁଷ୍କର୍ମ ଘଟଣା ପରେ ହାପି ସହଜରେ ଫେରାର୍ ହୋଇନଥିଲା। ପୋଲିସ ଘଟଣାକୁ ହାଲୁକା ଭାବେ ନେଇଥିବା ଜାଣି ସେ ୨ ଦିନ ଧରି ଶିଶୁପାଳଗଡ଼ ଓ ଧଉଳି ଅଞ୍ଚଳରେ ନିର୍ଭୟରେ ଘୁରୁଥିଲା। ଘଟଣାର ପରଦିନ ଅପରାହ୍ଣରେ ସେ ଧଉଳି ଥାନା ସାମ୍ନା ରାସ୍ତା ଦେଇ ଶାନ୍ତିସ୍ତୂପ ଅଞ୍ଚଳକୁ ଯାଇଥିଲା ଓ ସେଠାରେ ପାର୍କିଂକୁ କେନ୍ଦ୍ର କରି ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାରପିଟ୍ କରିଥିଲା। ସ୍ଥାନୀୟ ଦୋକାନୀଙ୍କ ହସ୍ତକ୍ଷେପ ପରେ ସେ ସ୍ଥାନ ଛାଡ଼ି ପଳାଇଯାଇଥିଲା।

୧୨ ତାରିଖ ରାତିରେ ପୀଡିତା ଧଉଳି ଥାନାରେ ଅଭିଯୋଗ କରିଥିଲେ। ପରଦିନ ସକାଳେ ପୀଡିତାର ମା’ ପୁଣି ଥରେ ଥାନାକୁ ଆସି ଗଣଦୁଷ୍କର୍ମ ଅଭିଯୋଗ ଦାଖଲ କରିଥିଲେ। ଗତ ୧୩ ତାରିଖ ବିଳମ୍ବିତ ରାତିରେ ପୋଲିସ ହାପିର ୨ ଜଣ ସହଯୋଗୀ—ବାଙ୍କୀ ଅଞ୍ଚଳର ବିଭୁପ୍ରସାଦ ମିଶ୍ର ଓ କଟକ ଓଲଟପୁର ଅଞ୍ଚଳର କାଳନ୍ଦୀ ପାତ୍ରଙ୍କୁ ଗିରଫ କରିଥିଲା। ଏହି ଖବର ପାଇ ହାପି ରାତାରାତି ଅର୍ନ୍ତଧ୍ୟାନ ହୋଇଯାଇଥିଲା।ପୋଲିସ ସୂଚନା ଅନୁସାରେ, ହାପି ଜଣେ ପେଶାଦାର ଅପରାଧୀ ଓ ତା’ ନାମରେ ପୂର୍ବରୁ ୧୫ଟି ମାମଲା ରହିଛି।

ସେ ପୂର୍ବରୁ ପୋଲିସକୁ ଆକ୍ରମଣ କରି ଜେଲ ଯାଇ ଫେରିଥିଲା ଏବଂ ଏହି ନାବାଳିକା ଗଣଦୁଷ୍କର୍ମ ଘଟଣାର ମାଷ୍ଟରମାଇଣ୍ଡ ଭାବେ ଚିହ୍ନଟ ହୋଇଛି।ଏହି ମାମଲାକୁ ନେଇ ରାଜ୍ୟ ସରକାର ପୋଲିସଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଥିବା ବେଳେ, ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରାଜ୍ୟ ମହିଳା କମିଶନ ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମଧ୍ୟ ଭୁବନେଶ୍ୱର ଡିସିପିଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ କହିଛନ୍ତି।

Leave a Reply

Your email address will not be published. Required fields are marked *