ନ୍ୟୁଜ ଡେକ୍ସ : ରାଜ୍ୟରେ ବେଆଇନ ବନ୍ଧୁକ ଚୋରା ଚାଲାଣ, ମାରଣାସ୍ତ୍ର ବ୍ୟବହାର ଏବଂ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଲଗାତାର କଠୋର ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଗତ କିଛି ଦିନ ଧରି ସାରା ରାଜ୍ୟରେ ‘ଅପରେସନ୍ ଧରପଗଡ’ ନାମକ ବିଶେଷ ଅଭିଯାନ ଚାଲୁ ରହିଥିଲା।ଏହି ଅଭିଯାନରେ ବହୁ ଜିଲ୍ଲା ପୋଲିସ ସାମିଲ ହୋଇ ବେଆଇନ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିବାରେ ବଡ଼ ସଫଳତା ହାସଲ କରିଛନ୍ତି।
ଏପର୍ଯ୍ୟନ୍ତ ସାରା ରାଜ୍ୟରେ ଚୋରା ବନ୍ଧୁକ ଚାଲାଣକାରୀଙ୍କ ବିରୋଧରେ ୨୭ଟି ମାମଲା ରୁଜୁ କରାଯାଇଥିବା ବେଳେ ୩୬ଟି ବନ୍ଧୁକ, ୭୧ଟି ଗୁଳି ଓ ୬୨ଟି ମାରଣାସ୍ତ୍ର ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୨୭ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରିଛି।ସେହିପରି ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା କରୁଥିବା ଚାଳକଙ୍କ ବିରୋଧରେ ମଧ୍ୟ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଅଭିଯାନରେ ଏପର୍ଯ୍ୟନ୍ତ ୫୧୯ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୧୧ଟି ଯାନ ଜବତ କରାଯାଇଛି। ରାଜ୍ୟରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରିବା, ବେଆଇନ ବନ୍ଧୁକ ଚୋରା ଚାଲାଣ ଓ ମାରଣାସ୍ତ୍ର ଉପରେ ରୋକ ଲଗାଇବା ସହ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତାଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ତତ୍ୱାବଧାନରେ ରାଜ୍ୟର ସମସ୍ତ ଜିଲ୍ଲାର ଏସପିମାନେ ‘ଅପରେସନ୍ ଧରପଗଡ’ ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ।ଓଡ଼ିଶା ପୋଲିସର ଏହି ଅଭିଯାନ ରାଜ୍ୟରେ ଆଇନ ଓ ଶୃଙ୍ଖଳାକୁ ମଜବୁତ କରିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ସୁରକ୍ଷାର ଭାବନାକୁ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି।

