ନ୍ୟୁଜ ଡେକ୍ସ : କଟକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ–ଦକ୍ଷିଣ ଆଫ୍ରିକା ଟି–୨୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ଟିକେଟ୍ କଳାବଜାରୀ ଅଭିଯୋଗରେ ପୁଲିସ ଚାରି ଜଣଙ୍କୁ ଗିରଫ କରିଛି। ଚଢ଼ା ଦରରେ ଟିକେଟ୍ ବିକ୍ରି ହେଉଥିବା ସୂଚନା ପାଇ ଦୁଇଟି ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ବିଡାନାସୀ ଥାନା ଅଧିକାରୀମାନେ ଚଢ଼ାଉ କରି ୧୨ଟି ଟିକେଟ୍ ଜବତ କରିଥିବାବେଳେ, ସହରର ଦରଘା ବଜାର ଥାନା ଅଞ୍ଚଳରୁ ୯ଟି ଟିକେଟ୍ ଜବତ କରାଯାଇଛି।
ଏଭଳିଭାବେ ସମୁଦାୟ ୨୧ଟି ଟିକେଟ୍ ପୁଲିସ ଜବତ କରିଛି।ସୂତ୍ର ଅନୁଯାୟୀ, ଗିରଫଦାରୀ ସମୟରେ ଉଦ୍ଧାର ହୋଇଥିବା ପ୍ରିଣ୍ଟେଡ୍ ଟିକେଟ୍ ସହ ମ୍ୟାଚ୍ ଏଣ୍ଟ୍ରି ପାସ୍ ମଧ୍ୟ ପୁଲିସ ଜବତ କରିଛି। ଘଟଣା ସମ୍ପର୍କରେ ବିଡାନାସୀ ଓ ଦରଘା ବଜାର ଥାନାରେ ଚାରୋଟି ପୃଥକ ମାମଲା ରୁଜୁ କରାଯାଇଛି।
ଏନେଇ କଟକ ଡିସିପି ଖିଲାରୀ ଋଷିକେଶ ଜ୍ଞାନଦେଓ କହିଛନ୍ତି ଯେ, ଟିକେଟ୍ କଳାବଜାରୀରେ ସମ୍ପୃକ୍ତ ସମସ୍ତଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି। ଆଗାମୀ ଦିନରେ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ଏବଂ ଟିକେଟ୍ କଳାବଜାରୀକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ଡିସିପି ସତର୍କ କରିଛନ୍ତି।

