ନ୍ୟୁଜ ଡେକ୍ସ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ବଡ ନିଷ୍ପତ୍ତି ନେଇଛି। ବିସିସିଆଇର କନିଷ୍ଠ କ୍ରିକେଟ୍ କମିଟି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଅଣ୍ଡର-୧୯ ଦଳ ଘୋଷଣା କରିଛି। ଏହି ସିରିଜ୍ରେ ୧୪ ବର୍ଷୀୟ ପ୍ରତିଭାଶାଳୀ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଯୁବ ଦଳର ନେତୃତ୍ୱ ନେବାର ଦାୟିତ୍ୱ ଏବେ ବୈଭବଙ୍କ ଉପରେ ରହିଛି।ଜାନୁଆରୀ ୧୫ରୁ ଫେବୃଆରୀ ୬ ମଧ୍ୟରେ ଅଣ୍ଡର-୧୯ ବିଶ୍ୱକପ୍ ଆୟୋଜିତ ହେବ, ଯାହା ଜିମ୍ବାଓ୍ୱେ ଓ ନାମିବ୍ୟାରେ ଖେଳାଯିବ।
ବିଶ୍ୱକପ୍ର ପୂର୍ବରୁ ଭାରତୀୟ ଯୁବ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବ, ଯାହାକୁ ବିଶ୍ୱକପ୍ ପାଇଁ ପ୍ରସ୍ତୁତିର ଅଂଶ ଭାବେ ଦେଖାଯାଉଛି।ଅଣ୍ଡର-୧୯ ଏସିଆ କପ୍ ସମୟରେ ଅଣ୍ଟାରେ ଆହତ ହେବା କାରଣରୁ ଆୟୁଷ ମାତ୍ରେ ଏହି ସିରିଜ୍ରୁ ବାଦ୍ ପଡିଛନ୍ତି। ଏହା ପରେ ବିସିସିଆଇ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଭରସା ପ୍ରକାଶ କରି ତାଙ୍କୁ ଅଧିନାୟକତ୍ୱ ଦେଇଛି। ସେହିପରି ବିଶ୍ୱକପ୍ ଦଳର ଉପ-ଅଧିନାୟକ ବିହାନ ମଲହୋତ୍ରା ମଧ୍ୟ ଦକ୍ଷିଣ ଆଫ୍ରିକା ସିରିଜ୍ରୁ ବାଦ୍ ପଡିଛନ୍ତି। ଆୟୁଷ ଓ ବିହାନ – ଉଭୟେ ଏବେ ବିସିସିଆଇର ସେଣ୍ଟର୍ ଅଫ୍ ଏକ୍ସଲେନ୍ସରେ ରହି ଫିଜିଓଥେରାପି ସହ ପ୍ରାକ୍ଟିସ୍ କରୁଛନ୍ତି।
ସେମାନେ ସୁସ୍ଥ ହେବା ପରେ ଅଣ୍ଡର-୧୯ ବିଶ୍ୱକପ୍ ଦଳରେ ସାମିଲ ହେବେ ବୋଲି ବିସିସିଆଇ ସୂଚନା ଦେଇଛି।ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ପାଇଁ ଭାରତୀୟ ଅଣ୍ଡର-୧୯ ଦଳ:ବୈଭବ ସୂର୍ଯ୍ୟବଂଶୀ (ଅଧିନାୟକ), ଆରୋନ୍ ଜର୍ଜ, ବେଦାନ୍ତ ତ୍ରିବେଦୀ, ଅଭିଗ୍ୟାନ କୁଣ୍ଡୁ, ହରଭଂସ ସିଂ, ଆରଏସ ଅମ୍ବରିଶ, କନିଷ୍କ ଚୌହାନ, ଖିଲାନ୍ ଏ. ପଟେଲ, ମହମ୍ମଦ ଏନାନ, ହେନିଲ ପଟେଲ, ଡି. ଦିପେଶ, କିଶାନ କୁମାର ସିଂ, ଉଦ୍ଧବ ମୋହନ, ୟୁଭରାଜ ଗୋହିଲ, ରାହୁଲ କୁମାର।

