Sat. Feb 21st, 2026

ନ୍ୟୁଜ ଡେକ୍ସ : ମହିଳା ହକିକୁ ପୁଣିଥରେ ନୂତନ ଶିଖରରେ ପହଞ୍ଚାଇବା ଲକ୍ଷ୍ୟରେ ହକି ଇଣ୍ଡିଆ ପକ୍ଷରୁ ମହିଳା ହିରୋ ହକି ଇଣ୍ଡିଆ ଲିଗ୍ (HIL)ର ଦ୍ୱିତୀୟ ସିଜିନ୍ ଆରମ୍ଭ ହୋଇଯାଇଛି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଜୟପାଲ ସିଂହ ହକି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଟୁର୍ଣ୍ଣାମେଣ୍ଟର ଉଦଘାଟନ ହୋଇଥିଲା। ଏହି ପ୍ରତିଯୋଗିତା ୨୮ ଡିସେମ୍ବର ୨୦୨୫ରୁ ୧୦ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଖେଳାଯିବ।

ଉଦଘାଟନୀ ମ୍ୟାଚ୍‌ରେ ଏସ୍‌ଜି ପାଇପର୍ସ ଚମତ୍କାର ପ୍ରଦର୍ଶନ କରି ଆୟୋଜକ ଦଳ ରାଞ୍ଚି ରୟାଲ୍ସକୁ ୨-୦ ଗୋଲରେ ପରାସ୍ତ କରି ବିଜୟ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଛି। ମ୍ୟାଚ୍‌ଟି ଦର୍ଶକଙ୍କ ମଧ୍ୟରେ ଭାରି ଉତ୍ସାହ ସୃଷ୍ଟି କରିଥିଲା।ଦର୍ଶକମାନେ Sony Ten 1, Sony Ten 3 (Hindi), Doordarshan Sports, Waves ଓ YouTube ମାଧ୍ୟମରେ ମହିଳା ହିରୋ ହକି ଇଣ୍ଡିଆ ଲିଗ୍‌ର ମ୍ୟାଚ୍‌ଗୁଡ଼ିକୁ ସଜୀବ ଦେଖିପାରିବେ। ସୂଚନାଥାଉକି, ପ୍ରଥମ ସିଜିନ୍ ଅଦ୍ଭୁତ ସଫଳତା ସହ ସମାପ୍ତ ହୋଇଥିଲା, ଯେଉଁଥିରେ ଦର୍ଶକଙ୍କ ବିପୁଳ ସମାଗମ ସହ ଉଚ୍ଚସ୍ତରୀୟ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଏଥର ମଧ୍ୟ ଦେଶର ଶ୍ରେଷ୍ଠ ମହିଳା ହକି ପ୍ରତିଭା ସହ ଆନ୍ତର୍ଜାତୀୟ ତାରକାମାନେ ଦେଖିପାରିବେ ।

ଏହି ସିଜିନରେ ଚାରୋଟି ଫ୍ରାଞ୍ଚାଇଜ୍—ରାଞ୍ଚି ରୟାଲ୍ସ, ଏସଜି ପାଇପର୍ସ, ଜେଏସଡବ୍ଲୁ ସୁରମା ହକି କ୍ଲବ ଏବଂ ଶ୍ରାଚି ବେଙ୍ଗଲ ଟାଇଗର୍ସ—ଟାଇଟଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଟୁର୍ଣ୍ଣାମେଣ୍ଟ ଡବଲ୍ ରାଉଣ୍ଡ-ରବିନ୍ ଫର୍ମାଟ୍‌ରେ ହେବ, ଯେଉଁଥିରେ ପ୍ରତ୍ୟେକ ଦଳ ଅନ୍ୟ ଦଳ ବିପକ୍ଷରେ ଦୁଇଥର ଖେଳିବ। ଲିଗ୍ ପର୍ଯ୍ୟାୟ ପରେ ଶ୍ରେଷ୍ଠ ଦୁଇଟି ଦଳ ଗ୍ରାଣ୍ଡ ଫାଇନାଲକୁ ପହଞ୍ଚିବେ।

ଫାଇନାଲ ମୁକାବିଲା ୧୦ ଜାନୁଆରୀ ୨୦୨୬ରେ ଅନୁଷ୍ଠିତ ହେବ।ଗତ ସିଜିନରେ ଓଡ଼ିଶା ୱାରିୟର୍ସ ପ୍ରଥମ ମହିଳା ହିରୋ ହକି ଇଣ୍ଡିଆ ଲିଗ୍ ଟାଇଟଲ ଜିତିଥିବା ବେଳେ JSW ସୁରମା ହକି କ୍ଲବ୍ ଉପବିଜେତା ହୋଇଥିଲା। ଏଥର ମଧ୍ୟ ଦର୍ଶକମାନେ ରୋମାଞ୍ଚକ ଓ ଉଚ୍ଚମାନର ହକି ଦେଖିବାକୁ ପାଇବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *