Sun. Apr 19th, 2026

ନ୍ୟୁଜ ଡେକ୍ସ :ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଇଁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଶ୍ରମିକମାନଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ଏହି ନିୟମ ଏପ୍ରିଲ ୧ ତାରିଖରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।ଗାଇଡ୍‌ଲାଇନ୍ ଅନୁସାରେ ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାମରେ ନ ଲଗାଇବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ସହିତ ରାଜ୍ୟରେ ଥିବା କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, ବେସରକାରୀ ନିଯୁକ୍ତିଦାତା, ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରମାନଙ୍କୁ ଏହି ନିୟମ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି।

ତେବେ ଯଦି କୌଣସି ଅତ୍ୟାବଶ୍ୟକ କାମ ରହେ, ସେଥିରେ ଶ୍ରମିକମାନଙ୍କୁ ପ୍ରଚଣ୍ଡ ରୌଦ୍ରତାପରୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ସତର୍କତା ଗ୍ରହଣ କରିବାକୁ ନିର୍ଦ୍ଦେଶ ମିଳିଛି।ଏଥିରେ ବିଶେଷ କରି ଶୀତଳ ପାନୀୟ ଜଳର ବ୍ୟବସ୍ଥା, ଛାୟା ପ୍ରଦାନ, ଡାକ୍ତରୀ ସେବା ଓ ପ୍ରତ୍ୟେକ ଶ୍ରମିକଙ୍କ ପାଇଁ ଓଆରଏସ ପ୍ୟାକେଟ ଯୋଗାଣକୁ ବାଧ୍ୟତାମୂଳକ କରାଯାଇଛି। ଗ୍ରୀଷ୍ମ ଋତୁରେ ବଢ଼ୁଥିବା ତାପମାତ୍ରା ଓ ଅଂଶୁଘାତ ଆଶଙ୍କାକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *