ନ୍ୟୁଜ ଡେକ୍ସ : ଅଭିନେତା ଅଜୟ ଦେବଗନ ତାଙ୍କ ପିତା ତଥା ପ୍ରଖ୍ୟାତ ଯୁଦ୍ଧଦୃଶ୍ୟ ନିର୍ଦ୍ଦେଶକ ବୀରୁ ଦେବଗନଙ୍କ ଜନ୍ମବାର୍ଷିକୀ ଅବସରରେ ନିଜର ନୂଆ ଚଳଚ୍ଚିତ୍ର ‘ଚୌହାନ’ର ଘୋଷଣା କରିଛନ୍ତି।
ଏହା ସହ ଚଳଚ୍ଚିତ୍ରର ପ୍ରଥମ ଝଲକ ମଧ୍ୟ ପ୍ରକାଶ ପାଇଛି, ଯେଉଁଥିରେ ଅଜୟ ଦେବଗନ ଦମଦାର ଯୁଦ୍ଧଦୃଶ୍ୟରେ ନଜର ଆସିଛନ୍ତି।ଚଳଚ୍ଚିତ୍ରର କାହାଣୀ କାଶ୍ମୀରରେ ପଥର ଫିଙ୍ଗା ଘଟଣା ଏବଂ ସେଠାକାର ଯୁବପିଢ଼ିଙ୍କୁ ଭ୍ରମିତ କରାଯିବାର ପୃଷ୍ଠଭୂମି ଉପରେ ଆଧାରିତ। ଦୁଇ ମିନିଟ୍ ଚବିଶ ସେକେଣ୍ଡର ଝଲକରେ ପୁଲୱାମାର ପରିସ୍ଥିତି ଓ ସୁରକ୍ଷାବାହିନୀ ସହ ସଂଘର୍ଷର ଦୃଶ୍ୟ ସ୍ଥାନ ପାଇଛି।
ଏହି ଚଳଚ୍ଚିତ୍ରର ନିର୍ମାଣ ଜିଓ ଷ୍ଟୁଡିଓ ଏବଂ ଆନନ୍ଦ ଏଲ୍ ରାୟଙ୍କ ପ୍ରଯୋଜନା ସଂସ୍ଥା ମିଳିତ ଭାବେ କରିଛନ୍ତି। ହିମାଂଶୁ ଶର୍ମା ମଧ୍ୟ ପ୍ରଯୋଜକ ଭାବେ ସାମିଲ ହୋଇଛନ୍ତି। ନୀରଜ ଯାଦବ ଏହି ଚଳଚ୍ଚିତ୍ରର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି।ନିର୍ମାତାମାନେ ଚଳଚ୍ଚିତ୍ରର ମୁକ୍ତି ତାରିଖ ମଧ୍ୟ ଘୋଷଣା କରିଛନ୍ତି। ‘ଚୌହାନ’ ଆସନ୍ତା ବର୍ଷ ଅକ୍ଟୋବର ୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

