Thu. Jun 18th, 2026

ନ୍ୟୁଜ ଡେକ୍ସ : ଅନଲାଇନ ଟ୍ରେଡିଂରେ ଅଧିକ ରୋଜଗାରର ଲୋଭ ଦେଖାଇ କୋରାପୁଟ ଜୟପୁରର ଜଣେ ବ୍ୟକ୍ତିଙ୍କଠାରୁ ୨୦ ଲକ୍ଷ ୫୦ ହଜାର ଟଙ୍କା ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ସାଇବର ଠକେଇ ମାମଲାରେ କୋରାପୁଟ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ହେଲେ ଆନ୍ଧ୍ରପ୍ରଦେଶର ସୀଦାରାପୁ ତମ୍ମାୟା ।

ପୋଲିସ ତାଙ୍କ ନିକଟରୁ ମୋବାଇଲ ଫୋନ, ଏଟିଏମ୍ କାର୍ଡ, ଚେକ୍ ବୁକ୍, ପାସବୁକ୍ ଓ ବିଭିନ୍ନ ଦସ୍ତାବିଜ୍ ଜବତ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।ସୂଚନା ଅନୁଯାୟୀ, ଜୟପୁରର ରାଜେଶ ପାତ୍ର ନାମକ ବ୍ୟକ୍ତି ଫେସବୁକରେ ‘ସଞ୍ଜନା ଶ୍ରୀ’ ନାମରେ ଥିବା ଜଣେ ମହିଳାଙ୍କ ସହ ପରିଚିତ ହୋଇଥିଲେ । ପରେ ହ୍ୱାଟସଆପ୍ ମାଧ୍ୟମରେ ଅନଲାଇନ ଟ୍ରେଡିଂ କରି ବହୁତ ଲାଭ ମିଳିବ ବୋଲି ପ୍ରଲୋଭନ ଦେଖାଇ ତାଙ୍କୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ କୁହାଯାଇଥିଲା ।

ଲାଭର ଆଶାରେ ରାଜେଶ ପର୍ଯ୍ୟାୟକ୍ରମେ ୨୦ ଲକ୍ଷ ୫୦ ହଜାର ଟଙ୍କା ପଠାଇଥିଲେ । ପରେ ନିଜେ ଠକେଇର ଶିକାର ହୋଇଥିବା ଜାଣି ପୋଲିସର ଦ୍ୱାରସ୍ଥ ହୋଇଥିଲେ । ତଦନ୍ତ ସମୟରେ ପୋଲିସ ୧୨ ଲକ୍ଷ ୪୬ ହଜାର ଟଙ୍କା ହୋଲ୍ଡ କରିଥିବା ବେଳେ ୪ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କୁ ଫେରାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *