Thu. Apr 16th, 2026

ନ୍ୟୁଜ ଡେକ୍ସ : ଜଳ ହିଁ ଜୀବନ। ମଣିଷ ଠାରୁ ଆରମ୍ଭ କରି ପ୍ରାଣୀ ଓ ବୃକ୍ଷଲତା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଜଳ ଅତ୍ୟନ୍ତ ଆବଶ୍ୟକ। ଜୀବନର ପ୍ରତ୍ୟେକ କ୍ଷଣରେ ଜଳର ଗୁରୁତ୍ୱ ଅପରିହାର୍ଯ୍ୟ ଥିବାବେଳେ ଏହାର ସଂରକ୍ଷଣ ଓ ସଠିକ୍ ବ୍ୟବହାର ନେଇ ସମଗ୍ର ବିଶ୍ୱରେ ସଚେତନତା ଜଗାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ବିଶ୍ୱ ଜଳ ଦିବସ ପାଳନ କରାଯାଉଛି।ପୃଥିବୀରେ ପ୍ରାୟ ୭୦ ପ୍ରତିଶତ ଅଂଶ ଜଳରେ ଆବୃତ ଥିବା ସତ୍ୱେ ତାହାରୁ କେବଳ ୩ ପ୍ରତିଶତ ମଧୁର ଜଳ ଅଛି।

ଅନ୍ୟ ୯୭ ପ୍ରତିଶତ ଜଳ ପାନୀୟ ଉପଯୋଗୀ ନୁହେଁ। ଏହି କାରଣରୁ ସମଗ୍ର ବିଶ୍ୱ ମାତ୍ର ୩ ପ୍ରତିଶତ ମଧୁର ଜଳ ଉପରେ ନିର୍ଭରଶୀଳ ଅଛି।୧୯୯୨ ମସିହାରେ ଜାତିସଂଘ ସାଧାରଣ ସଭା ପକ୍ଷରୁ ବିଶ୍ୱ ଜଳ ଦିବସ ପାଳନ ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା। ପରେ ୧୯୯୩ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ଏହାକୁ ବିଶ୍ୱସ୍ତରରେ ପାଳନ କରାଯାଉଛି।ଚଳିତ ବର୍ଷ ବିଶ୍ୱ ଜଳ ଦିବସର ଥିମ ‘ଯେଉଁଠାରେ ଜଳ ପ୍ରବାହିତ ହୁଏ, ସେଠାରେ ସମାନତା ବୃଦ୍ଧି ପାଏ’ ରହିଛି। ଜଳ ବିନା ଜୀବନ ଅସମ୍ଭବ ଥିବାବେଳେ ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଅପାର।

ବିଶେଷଜ୍ଞମାନଙ୍କ ଅନୁସାରେ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ଅତି କମରେ ୨.୭ ଲିଟର ପାଣି ପିଇବା ଆବଶ୍ୟକ। ଏହାରୁ କମ୍ ପାଣି ପିଲେ ଡିହାଇଡ୍ରେସନ ହେବାର ସମ୍ଭାବନା ରହିଥାଏ। ସେହିପରି ଦିନକୁ ଅତି କମରେ ୭ ରୁ ୮ ଗ୍ଲାସ୍ ପାଣି ପିଇବାକୁ ଉପଦେଶ ଦିଆଯାଉଛି।ଏହି ଅବସରରେ ଜଳ ସଂରକ୍ଷଣ ଓ ସୁଚିନ୍ତିତ ବ୍ୟବହାର ପାଇଁ ସମସ୍ତଙ୍କୁ ଆଗକୁ ଆସିବାକୁ ଆହ୍ୱାନ କରାଯାଇଛି।

Leave a Reply

Your email address will not be published. Required fields are marked *