Tue. Apr 28th, 2026

ନ୍ୟୁଜ ଡେକ୍ସ : ପୂର୍ବତନ ଭାରତୀୟ କ୍ରିକେଟର ଓ ରାଜ୍ୟ ସଭା ସାଂସଦ ହରଭଜନ ସିଂ ଆମ ଆଦମୀ ପାର୍ଟି ଛାଡ଼ି ବିଜେପିରେ ସାମିଲ ହେବା ପରେ ପଞ୍ଜାବରେ ରାଜନୀତିକ ଚଞ୍ଚଳତା ବଢ଼ିଯାଇଛି। ଏହି ଦଳବଦଳ ପରେ ପଞ୍ଜାବ ସରକାର ତାଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରିନେଇଛନ୍ତି। ରବିବାର ତାଙ୍କ ବାସଭବନରେ ନିଯୁକ୍ତ ସୁରକ୍ଷାକର୍ମୀମାନଙ୍କୁ ହଟାଯାଇଥିବା ସୂଚନା ମିଳିଛି।

ଏହା ପୂର୍ବରୁ ଶନିବାର ଦିନ ଲୁଧିଆନା ଓ ଜଲନ୍ଧରରେ ଆମ ଆଦମୀ ପାର୍ଟିର କର୍ମୀମାନେ ହରଭଜନ ସିଂ ସହ ଅନ୍ୟାନ୍ୟ ସାଂସଦ ଅଶୋକ ମିତ୍ତଲ ଓ ରାଜିନ୍ଦର ଗୁପ୍ତାଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କ୍ରୁଦ୍ଧ କର୍ମୀମାନେ ସେମାନଙ୍କ ଘର କାନ୍ଥରେ ‘ଗଦ୍ଦାର’ ଲେଖିବା ସହ ‘ପଞ୍ଜାବର ଗଦ୍ଦାର’ ବୋଲି ସ୍ଲୋଗାନ ଦେଇଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ, ଏହି ସାଂସଦମାନେ ପଞ୍ଜାବ ଜନତାଙ୍କ ସହ ବିଶ୍ୱାସଘାତକତା କରିଛନ୍ତି। ଏହି ଘଟଣା ପରେ କେନ୍ଦ୍ର ସରକାର ତୁରନ୍ତ ହରଭଜନ ସିଂଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳୟ ଯୋଗାଇ ଦେଇଛନ୍ତି। ବର୍ତ୍ତମାନ ଦିଲ୍ଲୀ ଓ ପଞ୍ଜାବରେ ସିଆରପିଏଫ କମାଣ୍ଡୋମାନେ ତାଙ୍କ ସୁରକ୍ଷାର ଦାୟିତ୍ୱ ନେଇଛନ୍ତି।

ରବିବାର ସକାଳୁ ଜଲନ୍ଧର ସ୍ଥିତ ତାଙ୍କ ବାସଭବନ ବାହାରେ ସିଆରପିଏଫ ଯବାନମାନଙ୍କୁ ମୁତୟନ କରାଯାଇଥିବା ଦେଖାଯାଇଛି।ସୂଚନାଯୋଗ୍ୟ, ନିକଟରେ ରାଘବ ଚଡ୍ଡାଙ୍କ ସହ ଆପ୍ ର ମୋଟ ୭ ଜଣ ରାଜ୍ୟସଭା ସାଂସଦ ପାର୍ଟି ଛାଡ଼ିଛନ୍ତି। ଏହିମାନଙ୍କ ମଧ୍ୟରେ ହରଭଜନ ସିଂ, ସ୍ୱାତି ମାଲିୱାଲ, ଅଶୋକ ମିତ୍ତଲ, ରାଜିନ୍ଦର ଗୁପ୍ତା ଆଦି ଅନେକ ନାମ ରହିଛି। ଏହି ଦଳବଦଳ ଘଟଣାକୁ ନେଇ ଆମ ଆଦମୀ ପାର୍ଟି ଭିତରେ ଅସନ୍ତୋଷ ବଢ଼ିବା ସହ ରାଜନୈତିକ ଚର୍ଚ୍ଚା ତେଜ ହୋଇଛି।ସାରା ପରିସ୍ଥିତି ଦେଖିବାକୁ ଗଲେ, ପଞ୍ଜାବରେ ଦଳବଦଳ ଓ ସୁରକ୍ଷା ପ୍ରଶ୍ନକୁ କେନ୍ଦ୍ର କରି ରାଜନୀତି ଆହୁରି ତିବ୍ର ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *