ନ୍ୟୁଜ ଡେକ୍ସ : କଟକ ରାଜନୀତିରେ ଏବେ ଦେଖିବାକୁ ମିଳିଛି ଏକ ରୋଚକ ଓ ଚମତ୍କାରକ ଦୃଶ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ସମ୍ବର୍ଦ୍ଧନା ଜଣାଇବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ତେଜ ହୋଇଯାଇଛି। କଟକର ଓଏମପି ଛକରେ ଧାନମୁଠି ଅନୁକୂଳ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରଭାତ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଗତକାଲି ପର୍ଯ୍ୟନ୍ତ ଖଇରିଆ ପୋଷାକ ପିନ୍ଧୁଥିବା ପ୍ରଭାତ ବିଶ୍ୱାଳ ହଠାତ୍ ଧଳା କପଡାରେ ଦେଖାଯିବା ଓ ସେହିଦିନ ବିଜେଡିର ବରିଷ୍ଠ ନେତା ବବି ଦାସଙ୍କୁ ନେଇ କଠୋର ମତ ପ୍ରକାଶ କରିଥିବା ଘଟଣା ଆଉ ଚର୍ଚ୍ଚାକୁ ତେଜ କରିଛି। ଦଳରୁ ସସ୍ପେଣ୍ଡ ହେବା ପରେ ସେ ପ୍ରେସମିଟରେ ଖୋଲାମେଲା ଭାବେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ନିଜ ଉପରେ ହୋଇଥିବା ବ୍ୟବହାରକୁ ବିଶ୍ୱାସଘାତକ ଭାବେ ବର୍ଣ୍ଣନା କରିଥିଲେ।ଏହି ସବୁ ଘଟଣା ପରେ କେବଳ ୨୪ ଘଣ୍ଟା ମଧ୍ୟରେ ପ୍ରଭାତଙ୍କ ଏହି ପଦକ୍ଷେପ ରାଜନୈତିକ ମଞ୍ଚରେ ନୂଆ ପ୍ରଶ୍ନ ଉଠାଇଛି।
ପ୍ରଭାତଙ୍କ କପଡ଼ା ପରି ଦଳ ବଦଳିବେ କି ନାହିଁ, ସେନେଇ ମହଲରେ ବିଭିନ୍ନ ଅନୁମାନ ଚାଲିଛି। ବିଶେଷକରି ତାଙ୍କ ପୁଅ ସୌଭିକ ବିଶ୍ୱାଳ ପୂର୍ବରୁ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବାରୁ ଦଳରୁ ବାହାର ହୋଇଥିଲେ, ଯାହା ପରେ ପରିବାରରେ ଅସନ୍ତୋଷ ସ୍ପଷ୍ଟ ହୋଇଥିଲା। ଏହି ପରିପ୍ରେକ୍ଷିତରେ ପ୍ରଭାତ ବିଶ୍ୱାଳ ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଯଦିଓ ସେ ନିଜେ କୌଣସି ସ୍ପଷ୍ଟ ମତ ପ୍ରକାଶ କରିନାହାନ୍ତି, ତଥାପି ତାଙ୍କ ସମ୍ପ୍ରତିର କାର୍ଯ୍ୟକଳାପ ଏହି ଅନୁମାନକୁ ଆହୁରି ଜୋରଦାର କରିଛି।ତେବେ ଏହି ରାଜନୈତିକ ପରିବର୍ତ୍ତନର ପଛରେ ସତ୍ୟ କଣ, ପ୍ରଭାତଙ୍କ ଆଗାମୀ ପଦକ୍ଷେପ କ’ଣ ହେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ଏବେ ଆଗାମୀ ଦିନ ଉପରେ ରହିଛି।

