ନ୍ୟୁଜ ଡେକ୍ସ : ବିଶ୍ୱ ପ୍ରସିଦ୍ଧ ଟେକ୍ କମ୍ପାନୀ ଆପଲ୍ରେ ଏବେ ଦେଖିବାକୁ ମିଳିଛି ଏକ ବଡ଼ ପରିବର୍ତ୍ତନ। ପ୍ରାୟ ୧୫ ବର୍ଷ ଧରି କମ୍ପାନୀର ନେତୃତ୍ୱ ନେଇଥିବା ଟିମ୍ କୁକ୍ ସିଇଓ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୧ ମସିହାରେ ଷ୍ଟିଭ୍ ଜବସ୍ଙ୍କ ମୃତ୍ୟୁ ପରେ ଟିମ୍ କୁକ୍ ଏହି ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ସେଥିଠାରୁ ଆପଲ୍କୁ ନୂତନ ଉଚ୍ଚତାରେ ପହଞ୍ଚାଇଥିଲେ।
ନୂତନ ବ୍ୟବସ୍ଥା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଆପଲ୍ର ହାର୍ଡୱେର୍ ଇଞ୍ଜିନିୟରିଂର ବରିଷ୍ଠ ଉପାଧ୍ୟକ୍ଷ ଜନ୍ ଟର୍ନସ୍ କମ୍ପାନୀର ନୂତନ ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଜନ୍ ଟର୍ନସ୍ ପଛଲା ୨୫ ବର୍ଷ ଧରି ଆପଲ୍ ସହିତ ଜଡିତ ରହିଥିବାରୁ କମ୍ପାନୀର ଭିତରୁ ସମସ୍ତ ପ୍ରକ୍ରିୟାରେ ତାଙ୍କର ଗଭୀର ଅନୁଭବ ରହିଛି।ଏହି ପରିବର୍ତ୍ତନ ସହିତ ଟିମ୍ କୁକ୍ ସମ୍ପୂର୍ଣ୍ଣ ଭାବରେ କମ୍ପାନୀ ଛାଡିବେ ନାହିଁ। ସେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ ଆପଲ୍ରେ ଜାରି ରହିବେ ଓ କମ୍ପାନୀର ନୀତି ନିର୍ଣ୍ଣୟରେ ଭୂମିକା ନିର୍ବାହ କରିବେ।
ଟିମ୍ କୁକ୍ଙ୍କ ଇସ୍ତଫା ନେଇ ଦୀର୍ଘଦିନ ଧରି ବିଭିନ୍ନ ଅନୁମାନ ଚାଲିଥିଲା, ଯାହା ଏବେ ସତ୍ୟ ପ୍ରମାଣିତ ହୋଇଛି। ତାଙ୍କ ନେତୃତ୍ୱରେ ଆପଲ୍ ବ୍ୟବସାୟ, ପ୍ରଯୁକ୍ତି ଓ ନବୀନତାରେ ବଡ଼ ସଫଳତା ହାସଲ କରିଥିଲା। ବିଶେଷଜ୍ଞମାନେ ଏହାକୁ ଆପଲ୍ର ଏକ ଦୂରଦୃଷ୍ଟିପୂର୍ଣ୍ଣ ଯୁଗର ଶେଷ ଏବଂ ନୂତନ ନେତୃତ୍ୱର ଆରମ୍ଭ ଭାବରେ ଦେଖୁଛନ୍ତି। ଏବେ ସମସ୍ତଙ୍କ ଦୃଷ୍ଟି ରହିଛି ଜନ୍ ଟର୍ନସ୍ଙ୍କ ନେତୃତ୍ୱରେ ଆପଲ୍ କେମିତି ଆଗକୁ ବଢ଼ିବ।

