ନ୍ୟୁଜ ଡେକ୍ସ : ଛତିଶଗଡ଼-ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଏବେ ମାଓବାଦୀଙ୍କ ଆତ୍ମସମର୍ପଣ ପ୍ରବୃତ୍ତି ଦିନକୁ ଦିନ ବଢ଼ୁଛି। ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ଓ ସରକାରଙ୍କ ପୁନର୍ବାସ ନୀତି ଯୋଗୁଁ ହାର୍ଡକୋର ମାଓବାଦୀମାନେ ମୁଖ୍ୟସ୍ରୋତକୁ ଫେରୁଥିବା ଦେଖାଯାଉଛି। ୧୮ରୁ ୬୩ ଜଣ ପର୍ଯ୍ୟନ୍ତ ମାଓବାଦୀ, ଯାହାଙ୍କ ମଧ୍ୟରେ ପାପାରାଓ ଓ କନ୍ଧମାଳ ଅଞ୍ଚଳର ଅନେକ ମହିଳା କ୍ୟାଡର ମଧ୍ୟ ରହିଛନ୍ତି, ସେମାନେ ହିଂସା ଛାଡି ସାଧାରଣ ଜୀବନକୁ ଫେରୁଛନ୍ତି।
ଏହି ପରିପ୍ରେକ୍ଷୀରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ନକ୍ସଲ ଦାସରୁ ଆତ୍ମସମର୍ପଣ କରିଛି। ପୋଲିସ ସମ୍ମୁଖରେ ସେ ଏକେ-୪୭ ବନ୍ଧୁକ ସହ ଅନ୍ୟ ବିସ୍ଫୋରକ ସାମଗ୍ରୀ ହସ୍ତାନ୍ତର କରିଛି। ଗତ କିଛି ଦିନ ତଳେ ପୋଲିସ ଏନକାଉଣ୍ଟରରେ ମାଓ ନେତ୍ରୀ ରୂପୀ ନିହତ ହେବା ପରେ ଜଙ୍ଗଲରେ ଲୁଚିଥିବା ନକ୍ସଲମାନଙ୍କ ମଧ୍ୟରେ ଭୟର ପରିସ୍ଥିତି ସୃଷ୍ଟି ହୋଇଛି। ଏହା ପରେ ଦାସରୁ ଆତ୍ମସମର୍ପଣ କରିଥିବା କୁହାଯାଉଛି। ପୋଲିସ ପକ୍ଷରୁ ଅନ୍ୟ ନକ୍ସଲମାନଙ୍କୁ ମଧ୍ୟ ଶୀଘ୍ର ଆତ୍ମସମର୍ପଣ କରିବାକୁ ଆହ୍ୱାନ କରାଯାଇଛି। ଡିଜିପି ହିଂସା ଛାଡି ସାଧାରଣ ଜୀବନ ବଞ୍ଚିବା ପାଇଁ କଡା ଚେତାବନୀ ଦେଇଛନ୍ତି।
ଯେମାନେ ଆତ୍ମସମର୍ପଣ କରିବେ, ସେମାନେ ସରକାରୀ ଥଇଥାନ ଯୋଜନା ମାଧ୍ୟମରେ ସାମାଜିକ ସ୍ରୋତରେ ଫେରି ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିପାରିବେ।ସେହିପରି, ଯେମାନେ ହିଂସାର ପଥ ଛାଡିବେ ନାହିଁ, ସେମାନଙ୍କ ବିରୋଧରେ କଠୋର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି। ଡେଡଲାଇନ ନିକଟରେ ଆସୁଥିବାରୁ ମାଓବାଦୀମାନଙ୍କ ଉପରେ ଚାପ ବଢ଼ିଛି ଓ ସେମାନେ ବାଧ୍ୟ ହୋଇ ଆତ୍ମସମର୍ପଣ କରୁଥିବା ଦେଖାଯାଉଛି।ଏହି ପଦକ୍ଷେପ ଅଞ୍ଚଳରେ ଶାନ୍ତି ସ୍ଥାପନା ଦିଗରେ ଏକ ସକାରାତ୍ମକ ସଙ୍କେତ ବୋଲି ମନେ କରାଯାଉଛି।

