Tue. Apr 21st, 2026

ନ୍ୟୁଜ ଡେକ୍ସ : ଆଜି ଦିନିକିଆ ରାଉରକେଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମଙ୍କୁ ସ୍ୱାଗତ କରିବା ପାଇଁ ଇସ୍ପାତ ସହର ପୂରା ପ୍ରସ୍ତୁତ ହୋଇଥିବା ବେଳେ ସହରବାସୀ ଉତ୍ସାହ ଓ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବିମାନବନ୍ଦରଠାରୁ ସମାବେଶ ସ୍ଥଳ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଓ ବ୍ଲୁ-ବୁକ୍ ଅନୁଯାୟୀ କାର୍କେଡ୍ ରିହର୍ସାଲ୍ ମଧ୍ୟ ଶେଷ ହୋଇଛି।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ ୮ଟାରେ ରାଷ୍ଟ୍ରପତି ଭବନରୁ ବିଦାୟ ନେଇ ଦିଲ୍ଲୀ ଏୟାରପୋର୍ଟକୁ ପହଞ୍ଚିବେ। ସେଠାରୁ ବିମାନରେ ଯାତ୍ରା କରି ୧୦ଟା ୨୫ରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବେ। ପରେ ବାୟୁସେନାର ହେଲିକପ୍ଟର ଯୋଗେ ୧୧ଟା ୧୦ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ସେକ୍ଟର-୧୩ ପଡ଼ିଆରେ ଆୟୋଜିତ ସମାବେଶ ସ୍ଥଳକୁ ଯାଇ ସାଢ଼େ ୧୧ଟା ସୁଦ୍ଧା ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ।ସକାଳ ୧୧ଟା ୪୦ରୁ ମଧ୍ୟାହ୍ନ ୧୨ଟା ୪୦ ପର୍ଯ୍ୟନ୍ତ ସେ ସଭାସ୍ଥଳରେ ଉପସ୍ଥିତ ରହିବେ ଓ ଆଇସିସିସି ବିଲଡିଂ, ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମ୍, କୋଏଲ ରିକ୍ରିଏସନ୍ ପାର୍କର ଉଦ୍‌ଘାଟନ କରିବେ।

ପରେ ୧୨ଟା ୫୫ରେ ରାଉରକେଲା ୱାନ୍ ପରିସରରେ ପହଞ୍ଚି ଟ୍ରାଇବାଲ ମ୍ୟୁଜିୟମ୍ ଉଦ୍‌ଘାଟନ କରିବେ।ଏହାପରେ ସେ ସର୍କିଟ୍ ହାଉସ୍‌ରେ ମଧ୍ୟାହ୍ନ ଭୋଜନ କରିବେ ଓ ଅପରାହ୍ନ ସାଢ଼େ ୩ଟାରେ ସୀମିତ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ପରେ ରାଉରକେଲା ବିମାନବନ୍ଦରରୁ ଝାରସୁଗୁଡ଼ା ଯାଇ ସେଠାରୁ ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବେ।ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟପାଳ ହରିବାବୁ କମ୍ଭମପାଟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ସହ ବିଭିନ୍ନ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ।ଏହି ଅବସରରେ ପ୍ରାୟ ୧୦ ହଜାର ସ୍କୁଲ ଛାତ୍ରଛାତ୍ରୀ ସଭାସ୍ଥଳରେ ଓଡ଼ିଶୀ, ସମ୍ବଲପୁରୀ, ସାନ୍ତାଳୀ ଓ କର୍ମା ନୃତ୍ୟ ପ୍ରଦର୍ଶନ କରିବେ, ଯାହା ଗସ୍ତକୁ ଅଧିକ ରଙ୍ଗିନ କରିବ।

Leave a Reply

Your email address will not be published. Required fields are marked *