ନ୍ୟୁଜ ଡେକ୍ସ : ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ବିଶ୍ୱର ଅଗ୍ରଣୀ ଇସ୍ପାତ ପ୍ରସ୍ତୁତକାରୀ ସଂସ୍ଥା ପୋସ୍କୋ ପୁଣିଥରେ ରାଜ୍ୟକୁ ଫେରିବାକୁ ଯାଉଛି। ଏଥର ସେ ଏକା ନୁହେଁ, ଭାରତର ପ୍ରମୁଖ ଶିଳ୍ପ ସଂସ୍ଥା ଜେଏସଡବ୍ଲୁ ସହ ମିଳିତ ଭାବେ ଢେଙ୍କାନାଳରେ ବିରାଟ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବ। ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ-କୋରିଆ ବିଜିନେସ ସମିଟରେ ଏହି ନେଇ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଗତ ୨୦୧୭ରେ ପାରାଦୀପରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଜମି ଅଧିଗ୍ରହଣ ଓ ସ୍ଥାନୀୟ ବିବାଦ ଯୋଗୁଁ ବାତିଲ ହୋଇଥିଲା, ଯାହା ରାଜ୍ୟ ପାଇଁ ବଡ଼ ଝଟକା ଥିଲା। କିନ୍ତୁ ଏବେ ଢେଙ୍କାନାଳରେ ଜେଏସଡବ୍ଲୁର ସହଯୋଗୀ ସଂସ୍ଥା ସାଫରନ ରିସୋର୍ସ ପ୍ରାଇଭେଟ ଲିମିଟେଡ ପାଇଁ ଚିହ୍ନଟ ହୋଇଥିବା ପ୍ରାୟ ହଜାରେ ଏକର ଜମିରେ ଏହି ମିଳିତ ପ୍ରକଳ୍ପ ଗଢ଼ିଉଠିବ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୫ ହଜାର କୋଟି ଟଙ୍କା ନିବେଶ ହେବା ସହ ବାର୍ଷିକ ୬ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ରାଜ୍ୟର ଅର୍ଥନୀତିକୁ ନୂଆ ଗତି ଦେବା ସହ ଯୁବମାନଙ୍କ ପାଇଁ ବିଶାଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପ୍ରାୟ ୮ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାର ପାଇବେ। ଏହା ସହ ରାସ୍ତାଘାଟ, ପରିବହନ ଓ କ୍ଷୁଦ୍ର ବ୍ୟବସାୟର ଉନ୍ନତି ଘଟିବାର ଆଶା ରହିଛି।
ପୋସ୍କୋର ଆଧୁନିକ ପ୍ରଯୁକ୍ତି ଓ ଜେଏସଡବ୍ଲୁର ସ୍ଥାନୀୟ ଅନୁଭବ ମିଶିଲେ ଓଡ଼ିଶା ବିଶ୍ୱ ଇସ୍ପାତ ମାନଚିତ୍ରରେ ଆହୁରି ଶକ୍ତିଶାଳୀ ସ୍ଥାନ ଦାବି କରିପାରିବ।ତେବେ ପ୍ରକଳ୍ପଟି ସାର୍ଥକ କରିବା ପାଇଁ କିଛି ବଡ଼ ଚ୍ୟାଲେଞ୍ଜ ମଧ୍ୟ ରହିଛି। ଜମି ଅଧିଗ୍ରହଣରେ ସ୍ଥାନୀୟ ଲୋକଙ୍କ ସମ୍ମତି ହାସଲ କରିବା, ପରିବେଶ ମଞ୍ଜୁରୀ ଓ ଜଳ ବ୍ୟବହାର ନିୟନ୍ତ୍ରଣ, ଏବଂ ଲୁହାପଥର ଯୋଗାଣ ସୁନିଶ୍ଚିତ କରିବା ପ୍ରମୁଖ ଆହ୍ୱାନ ହେବ।
ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ଓ ମେକ୍ ଇନ୍ ଓଡ଼ିଶା ପରି ପଦକ୍ଷେପ ଫଳରେ ବିଦେଶୀ କମ୍ପାନୀମାନେ ପୁଣିଥରେ ଆକର୍ଷିତ ହେଉଛନ୍ତି। ଯଦି ଏହି ପ୍ରକଳ୍ପ ସଫଳ ହୁଏ, ତେବେ ଢେଙ୍କାନାଳ ରାଜ୍ୟର ଆଉ ଏକ ପ୍ରମୁଖ ଇସ୍ପାତ କେନ୍ଦ୍ର ଭାବେ ଉଭା ହେବ। ଏବେ ଦେଖିବାକୁ ବାକି ରହିଲା, ଗତ ଅନୁଭବରୁ ଶିଖି ସରକାର ଓ କମ୍ପାନୀମାନେ କିପରି ଲୋକମାନଙ୍କ ବିଶ୍ୱାସ ଜିତିପାରନ୍ତି।

