Sat. Jun 6th, 2026

ନ୍ୟୁଜ ଡେକ୍ସ : ଆୟୁଷ୍ମାନ କାର୍ଡ ମାଧ୍ୟମରେ ଚିକିତ୍ସା ସେବା ପାଉଥିବା ରୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଆୟୁଷ୍ମାନ ଯୋଜନା ଅଧୀନରେ ଚିକିତ୍ସା ସୁବିଧା ସମ୍ବନ୍ଧୀୟ ନିୟମକୁ ଆହୁରି ସ୍ପଷ୍ଟ ଓ କଡ଼ାକଡ଼ି କରାଯାଇଛି। ଏଣିକି ଯୋଜନାରେ ତାଲିକାଭୁକ୍ତ ବେସରକାରୀ ହସ୍ପିଟାଲ ରୋଗୀଙ୍କଠାରୁ ମନମୁଖୀ ଭାବେ ଅତିରିକ୍ତ ଅର୍ଥ ଆଦାୟ କରିପାରିବେ ନାହିଁ।

ନୂଆ ବ୍ୟବସ୍ଥା ଅନୁସାରେ, ହସ୍ପିଟାଲରେ ଭର୍ତ୍ତି ହେବାର ତିନି ଦିନ ପୂର୍ବରୁ କରାଯାଇଥିବା ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଆୟୁଷ୍ମାନ କାର୍ଡର ସୁବିଧା ମଧ୍ୟରେ ଅନ୍ତର୍ଭୁକ୍ତ ହେବ। ଫଳରେ ରୋଗୀଙ୍କୁ ଭର୍ତ୍ତି ପୂର୍ବରୁ କରାଯାଉଥିବା ପରୀକ୍ଷା ପାଇଁ ଅଲଗା ଭାବେ ଅର୍ଥ ଦେବାକୁ ପଡ଼ିବ ନାହିଁ।ସେହିପରି ହସ୍ପିଟାଲରୁ ଛାଡ଼ପତ୍ର ପାଇବା ପରେ ପରବର୍ତ୍ତୀ ୧୫ ଦିନ ପର୍ଯ୍ୟନ୍ତ ରୋଗୀଙ୍କ ଔଷଧ, ନିୟମିତ ଚିକିତ୍ସା ଯାଞ୍ଚ ଓ ଆବଶ୍ୟକୀୟ ପରୀକ୍ଷା ସମ୍ପୂର୍ଣ୍ଣ ମାଗଣାରେ କରାଯିବ। ଏହି ସମସ୍ତ ସୁବିଧା ଯୋଗାଇବା ପାଇଁ ହସ୍ପିଟାଲ ବାଧ୍ୟ ରହିବ। ଏହାଦ୍ୱାରା ଚିକିତ୍ସା ପରେ ରୋଗୀ ଓ ତାଙ୍କ ପରିବାର ଉପରେ ପଡ଼ୁଥିବା ଆର୍ଥିକ ବୋଝ ଯଥେଷ୍ଟ କମିବ।

ଅପରେସନ ପରେ କୌଣସି ଜଟିଳତା ଦେଖାଦେଲେ କିମ୍ବା ରୋଗୀଙ୍କୁ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲେ, ତାହା ମଧ୍ୟ ପୂର୍ବରୁ ମଞ୍ଜୁରି ମିଳିଥିବା ଚିକିତ୍ସା ପ୍ୟାକେଜ ଅଧୀନରେ ରହିବ। ଏଥିପାଇଁ ରୋଗୀଙ୍କଠାରୁ ଅତିରିକ୍ତ ଅର୍ଥ ଆଦାୟ କରାଯିବ ନାହିଁ।ତେବେ କିଛି ବେସରକାରୀ ହସ୍ପିଟାଲ ଭର୍ତ୍ତି ପୂର୍ବର ପରୀକ୍ଷା ଓ ଚିକିତ୍ସା ପରବର୍ତ୍ତୀ ସେବା ପାଇଁ ରୋଗୀଙ୍କଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ସରକାରଙ୍କ ନଜରକୁ ଆସିଛି। ଏହାକୁ ଗୁରୁତର ଭାବେ ନେଇ ସମସ୍ତ ତାଲିକାଭୁକ୍ତ ବେସରକାରୀ ହସ୍ପିଟାଲକୁ ଏଭଳି କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।ସରକାର ସ୍ପଷ୍ଟ କରିଛନ୍ତି ଯେ, ଆୟୁଷ୍ମାନ ଯୋଜନାର ସମସ୍ତ ସୁବିଧା ରୋଗୀଙ୍କୁ ନିରବଚ୍ଛିନ୍ନ ଭାବେ ମିଳିବା ଦରକାର। କୌଣସି ହସ୍ପିଟାଲ ଯଦି ରୋଗୀଙ୍କୁ ହଇରାଣ କରେ, ଅତିରିକ୍ତ ଅର୍ଥ ମାଗେ କିମ୍ବା ଯୋଜନା ଅଧୀନରେ ମିଳିବାକୁ ଥିବା ସେବା ଯୋଗାଇବାରେ ଅବହେଳା କରେ, ତେବେ ସମ୍ପୃକ୍ତ ଅନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ନୂଆ ବ୍ୟବସ୍ଥା ଆୟୁଷ୍ମାନ ଯୋଜନାର ଲାଭାର୍ଥୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *