ନ୍ୟୁଜ ଡେକ୍ସ : ପୁରୁଷ ଟି–୨୦ ବିଶ୍ୱକପ୍ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ରୋମାଞ୍ଚକର ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ବିରୁଦ୍ଧରେ ହୋଇଥିବା ଏହି ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ଶେଷରେ ଭାରତ ଅଳ୍ପକେ ବିଜୟ ହାସଲ କରିଥିଲା।ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ତା’ପୂର୍ବରୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୨୫୩ ରନ୍ ସଂଗ୍ରହ କରିଥିଲା। ଏହି ବଡ଼ ଲକ୍ଷ୍ୟକୁ ଧାଉଥିବା ଇଂଲଣ୍ଡ ସମସ୍ତ ଓଭର ଖେଳି ୨୪୬ ରନ୍ କରିପାରିଥିଲା ଓ ମ୍ୟାଚ୍ ହାରିଯାଇଥିଲା।ଇଂଲଣ୍ଡ ପାଇଁ ଜାକବ ବେଥେଲ ଶାନ୍ଦାର ପାରି ଖେଳି ୪୮ ବଲରୁ ୧୦୫ ରନ୍ କରିଥିଲେ। କିନ୍ତୁ ତାଙ୍କର ଏହି ଶତକ ଦଳକୁ ବିଜୟ ଦେଇପାରିନଥିଲା।
ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଯଶପ୍ରୀତ ବୁମରା ଶାନ୍ଦାର ବୋଲିଂ କରି ଭାରତର ବିଜୟ ନିଶ୍ଚିତ କରିଥିଲେ। ସେ ୧୬ତମ ଓଭରରେ ୮ ରନ୍ ଓ ୧୮ତମ ଓଭରରେ କେବଳ ୬ ରନ୍ ଦେଇ ଇଂଲଣ୍ଡର ଆଶାକୁ ଭଙ୍ଗ କରିଦେଇଥିଲେ। ଏହି ବିଜୟ ସହିତ ଭାରତ ଟି–୨୦ ବିଶ୍ୱକପ୍ ୨୦୨୬ର ଫାଇନାଲରେ ପହଞ୍ଚିଛି। ଫାଇନାଲ୍ ମ୍ୟାଚ୍ ଆସନ୍ତା ୮ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ।

