Wed. Jun 3rd, 2026

ନ୍ୟୁଜ ଡେକ୍ସ : ଶାନ୍ତି ଆଲୋଚନା ଚାଲିଥିବା ସମୟରେ ଇରାନର ଗୁରୁତ୍ୱପୂର୍ଣ୍ଣ ବନ୍ଦର ସହର ବନ୍ଦର ଆବାସ ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ କରାଯାଇଛି। ହର୍ମୁଜ ପ୍ରଣାଳୀ ନିକଟରେ ଅବସ୍ଥିତ ଏହି ସହର ଇରାନ ପାଇଁ ସାମରିକ ଓ ରଣନୀତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଚିତ। ଏଠାରେ ଇରାନର ନୌସେନା ଓ ବିମାନ ଘାଟି ରହିଛି।ଇରାନର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଅନୁଯାୟୀ, ବନ୍ଦର ଆବାସ ସହରରେ କ୍ରମାଗତ ତିନିଟି ବିସ୍ଫୋରଣ ଘଟିଥିଲା।

ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍‌ (IRGC) କହିଛି ଯେ ବନ୍ଦର ଆବାସ ବିମାନବନ୍ଦର ନିକଟରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ଏହି ଆକ୍ରମଣରେ ୪ ଜଣ ରିଭୋଲ୍ୟୁସନାରୀ ଗାର୍ଡ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ଇରାନୀ ଗଣମାଧ୍ୟମ ଦାବି କରିଛି। ଆମେରିକା ସେଣ୍ଟ୍ରାଲ କମାଣ୍ଡର ମୁଖପାତ୍ର ଟିମ୍ ହକିନ୍ସ ଏହି ଆକ୍ରମଣକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସେନାଙ୍କ ସୁରକ୍ଷା ଏବଂ ଆତ୍ମରକ୍ଷା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆମେରିକାର ଅଭିଯୋଗ ଅନୁଯାୟୀ, ଇରାନ ବନ୍ଦର ଆବାସରୁ ବୋଟ୍‌ ମାଧ୍ୟମରେ ହର୍ମୁଜ ପ୍ରଣାଳୀରେ ମାଇନ୍ସ ବିଛାଇବାକୁ ଉଦ୍ୟମ କରୁଥିଲା। ଏହି କାରଣରୁ ଇରାନର କ୍ଷେପଣାସ୍ତ୍ର ଉତ୍କ୍ଷେପଣ କେନ୍ଦ୍ର ଓ ବୋଟ୍‌ଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିବା କୁହାଯାଇଛି।ଆକ୍ରମଣ ପରେ ଇରାନ ପକ୍ଷରୁ ତୁରନ୍ତ କୌଣସି ପ୍ରତିଆକ୍ରମଣ କରାଯାଇନଥିଲେ ମଧ୍ୟ ଦେଶର ବାୟୁ ସୀମା ସୁରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି।

ଇରାନ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ଆମେରିକା ଅସ୍ତ୍ରବିରତି ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଛି।ଏହି ଘଟଣା ଏପରି ସମୟରେ ଘଟିଛି, ଯେତେବେଳେ କାତାରରେ ଉଭୟ ଦେଶର ପ୍ରତିନିଧିମାନେ ସ୍ଥାୟୀ ଶାନ୍ତି ଚୁକ୍ତି ପାଇଁ ଆଲୋଚନା ଚଳାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସହ ଆଲୋଚନା ସକାରାତ୍ମକ ଭାବେ ଚାଲିଛି। କିନ୍ତୁ ଆଲୋଚନା ବିଫଳ ହେଲେ ଆହୁରି କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସତର୍କ କରିଛନ୍ତି। ଟ୍ରମ୍ପ ଆହୁରି କହିଛନ୍ତି ଯେ ଇରାନ ଏହାର ସମୃଦ୍ଧ ୟୁରାନିୟମ୍‌କୁ ହସ୍ତାନ୍ତର କରିବା ପରେ ଆନ୍ତର୍ଜାତିକ ପ୍ରତିନିଧିଙ୍କ ଉପସ୍ଥିତିରେ ତାହାକୁ ନଷ୍ଟ କରାଯିବ। ଏହି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ପୁଣି ଥରେ ଉତ୍ତେଜନା ବଢ଼ିଥିବା ଦେଖାଯାଇଛି।

Leave a Reply

Your email address will not be published. Required fields are marked *