Wed. Jun 17th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାର ଆହାର ଯୋଜନା ଭଳି ଏବେ ପଶ୍ଚିମବଙ୍ଗରେ ମଧ୍ୟ ସବସିଡିଯୁକ୍ତ ଖାଦ୍ୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ହେଲେ ଏଠାରେ ଭାତ-ଡାଲମା ପରିବର୍ତ୍ତେ ମାତ୍ର ୫ ଟଙ୍କାରେ ମାଛ-ଭାତ ଯୋଗାଇ ଦିଆଯିବ। ଏନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ।କଲ୍ୟାଣୀରେ ଆୟୋଜିତ ଏକ ପ୍ରଶାସନିକ ବୈଠକରେ ଲୋକଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ, ରାଜ୍ୟରେ ୪୦୦ଟି ସ୍ୱତନ୍ତ୍ର କ୍ୟାଣ୍ଟିନ ଖୋଲାଯିବ।

ଏହି କ୍ୟାଣ୍ଟିନ ମାଧ୍ୟମରେ ସାଧାରଣ ଲୋକଙ୍କୁ ମାତ୍ର ୫ ଟଙ୍କାରେ ମାଛ-ଭାତ ଯୋଗାଇ ଦିଆଯିବ। ସବସିଡିଯୁକ୍ତ ଏହି ଖାଦ୍ୟ ଯୋଜନାକୁ ସମଗ୍ର ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।ପୂର୍ବରୁ ମମତା ବାନାର୍ଜୀଙ୍କ ସରକାର ସମୟରେ ଚାଲୁଥିବା କ୍ୟାଣ୍ଟିନରେ ୫ ଟଙ୍କାରେ ଅଣ୍ଡା-ଭାତ ମିଳୁଥିଲା। ଏବେ ସେହି ଦରରେ ମାଛ-ଭାତ ଯୋଗାଇବା ଘୋଷଣାକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ବଢ଼ିଛି।

ଶୁଭେନ୍ଦୁଙ୍କ ଏହି ଘୋଷଣାକୁ ଟିଏମସିର ଅଭିଯୋଗର ଜବାବ ବୋଲି କୁହାଯାଉଛି। ନିର୍ବାଚନ ସମୟରେ ଟିଏମସି ପକ୍ଷରୁ ପ୍ରଚାର କରାଯାଇଥିଲା ଯେ, ବିଜେପି ସରକାର ଆସିଲେ ମାଛ, ମାଂସ ଓ ଅଣ୍ଡା ଭଳି ଖାଦ୍ୟ ଉପରେ ନିଷେଧ ଲାଗିପାରେ। ଏହାକୁ ନେଇ ବଙ୍ଗାଳୀମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଥିଲା। ଏବେ ମାଛ-ଭାତ ଯୋଜନା ଘୋଷଣା ମାଧ୍ୟମରେ ସେହି ଆଶଙ୍କାକୁ ଦୂର କରିବାକୁ ପ୍ରୟାସ କରାଯାଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *