ନ୍ୟୁଜ ଡେକ୍ସ : ଇରାନରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ମିଳିତ ଭାବେ ଇରାନର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣ ଜୋରଦାର ହୋଇଥିବା ଅଭିଯୋଗ ଆସୁଛି। ବିଶେଷ କରି ବ୍ରିଜ୍, ଷ୍ଟିଲ୍ ପ୍ଲାଣ୍ଟ ଓ ମେଡିକାଲ୍ ସାଇଟ୍ଗୁଡ଼ିକୁ ଟାର୍ଗେଟ୍ କରି ହେଉଥିବା ବୋମାମାଡ଼ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ ନେଇ ଚର୍ଚ୍ଚାକୁ ଜୋରଦାର କରିଛି।ନିକଟରେ ତେହେରାନରେ ଥିବା ଏକ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର ଉପରେ ଆକ୍ରମଣ ଘଟିବା ପରେ ଜେନେଭା କନଭେନସନ୍ର ପାଳନ ନେଇ ବିଶ୍ୱସ୍ତରରେ ପ୍ରଶ୍ନ ଉଠିଛି।
ଯୁଦ୍ଧ ସମୟରେ ମାନବାଧିକାର ସୁରକ୍ଷା ପାଇଁ ନିର୍ମିତ ଏହି ଆନ୍ତର୍ଜାତୀୟ ନିୟମ ଅନୁସାରେ ସାଧାରଣ ନାଗରିକ ଓ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ଟାର୍ଗେଟ୍ କରିବାକୁ କଠୋର ଭାବେ ନିଷେଧ କରାଯାଇଛି।ଜେନେଭା କନଭେନସନ୍ର ଇତିହାସ ୧୮୫୯ ମସିହାରେ ଇଟାଲୀରେ ଘଟିଥିବା ସଲଫେରିନୋ ଯୁଦ୍ଧ ପରେ ଆରମ୍ଭ ହୋଇଥିଲା। ସେଠାରେ ହଜାର ହଜାର ଆହତ ସୈନିକଙ୍କ ଦୟନୀୟ ଅବସ୍ଥା ଦେଖି ସୁଇସ୍ ବ୍ୟବସାୟୀ ହେନେରୀ ଡୁନାଣ୍ଟ ଏକ ମାନବିକ ଆନ୍ଦୋଳନର ଆରମ୍ଭ କରିଥିଲେ। ପରେ ୧୮୬୪ ମସିହାରେ ଜେନେଭା ସହରରେ ୧୨ଟି ଦେଶ ମିଶି ପ୍ରଥମ ଅନ୍ତର୍ଜାତୀୟ ଚୁକ୍ତି ସ୍ୱାକ୍ଷର କରିଥିଲେ।
୧୯୪୯ ମସିହାରେ ଏହି କନଭେନସନ୍କୁ ବିସ୍ତାର କରାଯାଇ ୪ଟି ପ୍ରମୁଖ ବ୍ୟବସ୍ଥା ଯୋଡ଼ାଯାଇଥିଲା, ଯାହାରେ ଆହତ ସୈନିକ, ସମୁଦ୍ରରେ ଫସିଥିବା ସୈନିକ, ଯୁଦ୍ଧବନ୍ଦୀ ଓ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ସମ୍ମିଳିତ କରାଯାଇଛି।ବର୍ତ୍ତମାନ ଇରାନରେ ଘଟୁଥିବା ଆକ୍ରମଣକୁ ନେଇ ବିଶେଷଜ୍ଞମାନେ କହୁଛନ୍ତି ଯେ, ଯଦି ସାଧାରଣ ନାଗରିକ ଓ ଚିକିତ୍ସା ସଂସ୍ଥାଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଉଛି, ତେବେ ଏହା ଜେନେଭା କନଭେନସନ୍ର ସିଧାସଳଖ ଉଲ୍ଲଂଘନ ଏବଂ ଏହାକୁ ଯୁଦ୍ଧ ଅପରାଧ ଭାବେ ଦେଖାଯାଏ।ଏହି ପରିସ୍ଥିତିରେ ଆମେରିକା ଓ ଇସ୍ରାଏଲର ଆକ୍ରମଣାତ୍ମକ ନୀତି ବିଶ୍ୱ ଶାନ୍ତି ଓ ଅନ୍ତର୍ଜାତୀୟ ଆଇନ ପାଇଁ ଗୁରୁତର ଚିନ୍ତାର ବିଷୟ ହୋଇଉଠିଛି।

