ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧର ପ୍ରଭାବ ଭାରତର ଏଲ୍ପିଜି ଗ୍ରାହକଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ଏଲ୍ପିଜି ସିଲିଣ୍ଡର ଦରରେ ବଡ଼ ବୃଦ୍ଧି ହୋଇଥିବା ବେଳେ ଘରୋଇ ଏବଂ ବାଣିଜ୍ୟିକ ଉଭୟ ସିଲିଣ୍ଡର ଦାମ ବଢ଼ିଛି।ସୂଚନା ଅନୁସାରେ, ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲ୍ପିଜି ସିଲିଣ୍ଡର ଦର ସିଲିଣ୍ଡର ପିଛା ୬୦ ଟଙ୍କା ବଢ଼ିଛି।
ସେହିଭଳି ୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ଦାମ ସିଲିଣ୍ଡର ପିଛା ୧୧୫ ଟଙ୍କା ବୃଦ୍ଧି ପାଇଛି। ଏହା ଫଳରେ ଦିଲ୍ଲୀରେ ଘରୋଇ ଏଲ୍ପିଜି ସିଲିଣ୍ଡର ଦର ୮୫୩ ଟଙ୍କାରୁ ବଢ଼ି ୯୧୩ ଟଙ୍କାରେ ପହଞ୍ଚିଛି। ତେବେ ବାଣିଜ୍ୟିକ ସିଲିଣ୍ଡର ଦର ୧୭୬୮.୫୦ ଟଙ୍କାରୁ ବଢ଼ି ୧୮୮୩ ଟଙ୍କା ହୋଇଛି। ଆଜିଠାରୁ ଏହି ନୂଆ ଦର କାର୍ଯ୍ୟକାରୀ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି। ସେପଟେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଦେଶରେ ଏଲ୍ପିଜି ଅଭାବ ସୃଷ୍ଟି ହେବାର ଆଶଙ୍କା ସରକାରଙ୍କୁ ଚିନ୍ତାରେ ପକାଇଛି। ଏହି ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ଜରୁରୀକାଳୀନ ନିୟମ ଅନୁଯାୟୀ ତେଲ କମ୍ପାନିଗୁଡ଼ିକୁ ଏଲ୍ପିଜି ଉତ୍ପାଦନ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ କହିଛି ଯେ ଦେଶର ଅଧିକାଂଶ ପରିବାର ରୋଷେଇ ଘରେ ଏଲ୍ପିଜି ବ୍ୟବହାର କରୁଥିବାରୁ ତାହାର ନିରବଚ୍ଛିନ୍ନ ଯୋଗାଣ ନିଶ୍ଚିତ କରିବା ଅତ୍ୟାବଶ୍ୟକ। ଏହିପାଇଁ ଏଲ୍ପିଜି ଉତ୍ପାଦନରେ ପ୍ରୋପେନ୍ ଓ ବ୍ୟୁଟେନ୍ ଗ୍ୟାସ୍ ବ୍ୟବହାର କରିବାକୁ ତେଲ ବିଶୋଧନ କମ୍ପାନିମାନଙ୍କୁ କୁହାଯାଇଛି। ଏହି ଦୁଇ ଗ୍ୟାସ୍କୁ ଅନ୍ୟ ପେଟ୍ରୋ ରସାୟନ ସାମଗ୍ରୀ ଉତ୍ପାଦନରେ ବ୍ୟବହାର କରିବାକୁ ମନା କରାଯାଇଛି।
ଏହାସହ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଲେ ବିଶ୍ବ ତେଲ ବଜାରରେ ମୂଲ୍ୟ ଅସାମାନ୍ୟ ଭାବେ ବଢ଼ିପାରେ ବୋଲି ସତର୍କ କରାଯାଇଛି। କତରର ଶକ୍ତି ମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଯଦି ହରମୁଜ୍ ପ୍ରଣାଳୀ ଦେଇ ସାମୁଦ୍ରିକ ପରିବହନ ବାଧାପ୍ରାପ୍ତ ହୁଏ, ତେବେ ଦୁଇରୁ ତିନି ସପ୍ତାହ ମଧ୍ୟରେ ଅଶୋଧିତ ତେଲ ଦାମ ବ୍ୟାରେଲ ପିଛା ୧୫୦ ଡଲାର ଅତିକ୍ରମ କରିପାରେ। ଏହା ଘଟିଲେ ସାରା ବିଶ୍ବର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

