ନ୍ୟୁଜ ଡେକ୍ସ : କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡକୁ ନେଇ ରାଜ୍ୟଜୁଡ଼ା ଚର୍ଚ୍ଚା ଚାଲିଛି। ଏହି ଅଗ୍ନିକାଣ୍ଡରେ ୧୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣାକୁ ନେଇ କଟକ ମେୟର ସୁବାସ ସିଂ ରାଜ୍ୟ ସରକାରଙ୍କୁ କଡ଼ା ଭାବେ ଚେତାଇବା ସହ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।
କଟକ ମେୟର ସୁବାସ ସିଂ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଘଟଣା ସମୟରେ ଆମ୍ବୁଲାନ୍ସ ପହଞ୍ଚିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିଥିଲା, ଯାହା ଗ୍ରହଣୀୟ ନୁହେଁ। ସେହିପରି ମେଡିକାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍ ଭାବେ କାମ କରୁନଥିବାରୁ ଏଭଳି ବଡ଼ ଧରଣର ଦୁର୍ଘଟଣା ଘଟିଥିବା ସେ ଅଭିଯୋଗ କରିଛନ୍ତି। ଟ୍ରମା କେୟାର ଆଇସିୟୁରେ କେମିତି ଅଗ୍ନିକାଣ୍ଡ ଘଟିଲା ଏବଂ ସେଠାରେ ଅଗ୍ନିଶମ ବ୍ୟବସ୍ଥା ସଠିକ୍ ଥିଲା କି ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ସରକାରଙ୍କ ଦୁର୍ବଳତା କାରଣରୁ ଏଭଳି ଘଟଣା ଘଟିଥିବା ମଧ୍ୟ ସେ କହିଛନ୍ତି ଏବଂ ଓଡ଼ିଶା ବାସୀ କାହାକୁ କ୍ଷମା କରିବେ ନାହିଁ ବୋଲି ସତର୍କ କରିଛନ୍ତି। ଅନ୍ୟପଟେ ଏହି ଅଗ୍ନିକାଣ୍ଡ ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ।
ସେ ଅଗ୍ନିକାଣ୍ଡ ସ୍ଥଳ ବୁଲି ଦେଖିବା ସହ ପୋଲିସ କମିଶନର ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ। ଘଟଣାର ସତ୍ୟତା ଜାଣିବା ପାଇଁ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ସେହିପରି ଆଇସିୟୁରେ ଥିବା ଅନ୍ୟ ରୋଗୀମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହି ଦୁଃଖଦ ଘଟଣା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ ସୁରକ୍ଷା ଦୃଷ୍ଟିରୁ ମେଡିକାଲ ପରିସରରେ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି।

