ନ୍ୟୁଜ ଡେକ୍ସ : ଦିଲ୍ଲୀର ଡ. କର୍ଣ୍ଣି ସିଂ ସୁଟିଂ ରେଞ୍ଜ୍ରେ ଚାଲିଥିବା ଏସୀୟ ସୁଟିଂ ପ୍ରତିଯୋଗିତାରେ ଭାରତୀୟ ଶୁଟରମାନେ ଶାନଦାର ପ୍ରଦର୍ଶନ କରି ଦେଶକୁ ଗର୍ବିତ କରିଛନ୍ତି। ଅଲମ୍ପିକ୍ସ ପଦକ ବିଜୟିନୀ ମନୁ ଭାକର ୨୫ ମିଟର ପିସ୍ତଲ୍ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ଏକ ରୋମାଞ୍ଚକର ଓ ତୀବ୍ର ପ୍ରତିଯୋଗିତାମୂଳକ ଫାଇନାଲରେ ସେ ଭିଏତନାମର ଗ୍ବୁଏନ ଥଏ ଟ୍ରାଙ୍ଗ୍ଙ୍କଠାରୁ ଡବଲ୍-ସୁଟ୍ ଅଫରେ ସାନ୍ନା ମାର୍ଜିନରେ ପରାଜିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ।
ଫାଇନାଲରେ ଉଭୟ ମନୁ ଭାକର ଓ ଟ୍ରାଙ୍ଗ୍ ୩୫ ପଏଣ୍ଟ ଲେଖାଏଁ ହାସଲ କରି ସମତାରେ ଥିଲେ। ପ୍ରଥମ ସୁଟ୍-ଅଫରେ ମଧ୍ୟ ଦୁହେଁ ୨-୨ରେ ବରାବର ରହିଥିଲେ। ତା’ପରେ ହୋଇଥିବା ଦ୍ୱିତୀୟ ସୁଟ୍-ଅଫରେ ୫ଟି ଲକ୍ଷ୍ୟରୁ ଟ୍ରାଙ୍ଗ୍ ୩ଟି ଲକ୍ଷ୍ୟ ଭେଦ କରି ସ୍ବର୍ଣ୍ଣ ଜିତିଥିଲେ, ଯେଉଁଠାରେ ମନୁ ୨ଟି ଲକ୍ଷ୍ୟ ଭେଦ କରିପାରିଥିଲେ।ଏହି ପଦକ ମନୁ ଭାକରଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖେ, କାରଣ ଏହି ପ୍ରତିଯୋଗିତାରେ ତାଙ୍କ ପ୍ରଦର୍ଶନ ପୂର୍ବରୁ କିଛିଟା ନୈରାଶ୍ୟଜନକ ରହିଥିଲା। ତାଙ୍କ ପରିଚିତ ୧୦ ମିଟର ପିସ୍ତଲ୍ ବର୍ଗରେ ସେ ୭ମ ସ୍ଥାନରେ ରହିଥିଲେ। ଏଣୁ ୨୫ ମିଟର ଇଭେଣ୍ଟରେ ମିଳିଥିବା ଏହି ରୌପ୍ୟ ପଦକ ତାଙ୍କ ପାଇଁ ଏକ ଆଶ୍ବସ୍ତି ଓ ଆତ୍ମବିଶ୍ୱାସର ନୂଆ ଆରମ୍ଭ ବୋଲି ଧରାଯାଉଛି। ମନୁ ନିଜେ ମଧ୍ୟ ଏହି ବିଜୟକୁ ନେଇ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ୧୦ ମିଟର ପିସ୍ତଲ୍ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତର ଇଶା ସିଂ ଏଥିବାର ୨୫ ମିଟର ଇଭେଣ୍ଟରେ କାଂସ୍ୟ ପଦକ ଜିତି ଦେଶକୁ ଆଉ ଏକ ସଫଳତା ଦେଇଛନ୍ତି।ତଦୁପରି, ୫୦ ମିଟର ରାଇଫଲ୍ ଇଭେଣ୍ଟରେ ଭାରତର ଆକ୍ରିତି ଦହିୟା ରୌପ୍ୟ ପଦକ ଜିତିଥିବାବେଳେ ଅଞ୍ଜୁମ୍ ମୋଡଗିଲ୍ କାଂସ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟର ସ୍ବର୍ଣ୍ଣ ପଦକ କାଜାଖସ୍ତାନର ସୋଫିଆ ସୁଲଜେନକୋ ଜିତିଥିଲେ।ସମଗ୍ର ପ୍ରତିଯୋଗିତାରେ ଭାରତୀୟ ଶୁଟରମାନଙ୍କ ଏହି ସଫଳତା ଦେଶର ସୁଟିଂ କ୍ଷେତ୍ରରେ ଭାରତର ବଢ଼ୁଥିବା ଶକ୍ତିକୁ ପୁନଃ ସାବିତ କରିଛି।

