ନ୍ୟୁଜ ଡେକ୍ସ : ଓଡ଼ିଶାରେ ବର୍ତ୍ତମାନ କାଳବୈଶାଖୀ ସହ ଝଡ଼ବର୍ଷା ଜାରି ରହିଛି। ବିଭିନ୍ନ ଜିଲ୍ଲାରେ କୁଆପଥର ବୃଷ୍ଟି ମଧ୍ୟ ଦେଖାଯାଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହି ପାଗ ଅବସ୍ଥା ଜାରି ରହିବ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ।ପାଣିପାଗ ବିଭାଗ କହିଛି ଯେ ସମୁଦ୍ର ପତ୍ତନଠାରୁ ପ୍ରାୟ ୦.୯ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ଏକ ଟ୍ରଫ୍ ରେଖା ପ୍ରଭାବରେ ରାଜ୍ୟର ପାଗ ଅସ୍ୱାଭାବିକ ହୋଇପଡ଼ିଛି।
ପଶ୍ଚିମ ଓଡ଼ିଶାରେ ଦିନରେ ତିବ୍ର ଗରମ ରହୁଥିବା ବେଳେ, ଅପରାହ୍ନରେ ଉପକୂଳ ଓ ଦକ୍ଷିଣ ଅଞ୍ଚଳରେ ବିଜୁଳି ଓ ପଥରବୃଷ୍ଟି ସହ ଝଡ଼ବର୍ଷା ହେଉଛି।ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ସହ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ୨୮ ଓ ୨୯ ମାର୍ଚ୍ଚରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି।ଶୁକ୍ରବାର ଟିଟିଲାଗଡ଼ରେ ସର୍ବାଧିକ ୩୯.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିଲା। ଏହା ସହ ହୀରାକୁଦ, ଭବାନୀପାଟଣା ଓ ସୋନପୁରରେ ମଧ୍ୟ ୩୯ ଡିଗ୍ରୀ ଅତିକ୍ରମ କରିଛି। ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ଦେଖାଯାଇଥିବାବେଳେ ରାୟଗଡ଼ାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀରର କିଛି ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ହୋଇଛି।ପାଣିପାଗ ବିଭାଗ ଅନୁଯାୟୀ ଟ୍ରଫ୍ ଲାଇନ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ସପ୍ତାହ ସାରା ଝଡ଼ବର୍ଷା, ବିଜୁଳି ଓ କୁଆପଥର ବୃଷ୍ଟି ଜାରି ରହିବ।
ଉପକୂଳ ଅଞ୍ଚଳ ମେଘୁଆ ରହିବା ସମ୍ଭାବନା ରହିଛି।ଶନିବାର ପାଇଁ ମୟୂରଭଞ୍ଜରେ ଓରେଞ୍ଜ୍ ସତର୍କତା ଜାରି କରାଯାଇଥିବାବେଳେ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ୟେଲୋ ସତର୍କତା ଜାରି ହୋଇଛି।ରବିବାରରୁ ଗୁରୁବାର ପର୍ଯ୍ୟନ୍ତ ଦକ୍ଷିଣ ଓ ଉତ୍ତର-ପଶ୍ଚିମ ଜିଲ୍ଲାଗୁଡ଼ିକରେ ୟେଲୋ ସତର୍କତା ଜାରି ରହିବ। ପାଣିପାଗ ବିଭାଗ କହିଛି ଯେ ଆଗାମୀ କିଛି ଦିନ ତାପମାତ୍ରାରେ ବଡ଼ ପରିବର୍ତ୍ତନ ନ ହେଲେ ମଧ୍ୟ ଏପ୍ରିଲ ୧ ଠାରୁ ଏହା ସ୍ୱାଭାବିକ ସ୍ତରକୁ ଫେରିପାରେ।

