Mon. Jun 15th, 2026

ନ୍ୟୁଜ ଡେକ୍ସ : ଆଜି ରାଜ୍ୟରେ ବିଜେପି ସରକାର ଗଠନକୁ ପୂରିଛି ଦୁଇ ବର୍ଷ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ। ସକାଳ ୧୧ଟା ୩୦ ମିନିଟ୍‌ରେ ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ଗତ ଦୁଇ ବର୍ଷର ସରକାରୀ କାର୍ଯ୍ୟ, ଉପଲବ୍ଧି ଓ ଆଗାମୀ ଯୋଜନା ସମ୍ପର୍କରେ ସୂଚନା ଦେବେ।ସରକାରଙ୍କ ଦୁଇ ବର୍ଷର ଯାତ୍ରାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ, ଜନକଲ୍ୟାଣମୂଳକ ପଦକ୍ଷେପ ଓ ଭବିଷ୍ୟତ ଯୋଜନାର ରୂପରେଖା ଉପସ୍ଥାପନ କରିବେ।

ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର କିପରି ଆଗକୁ ବଢ଼ିବେ, ସେନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ବିସ୍ତୃତ ଭାବେ ରାଜ୍ୟବାସୀଙ୍କୁ ଜଣାଇବେ। “ବିକାଶର ଧାରା, ଓଡ଼ିଶା ସାରା” ନାରାକୁ ଆଧାର କରି ସରକାରଙ୍କ ଆଗାମୀ କାର୍ଯ୍ୟପନ୍ଥା ଉପରେ ଗୁରୁତ୍ୱ ଦିଆଯିବ।ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି ଯେ, ୨୦୨୪ ମସିହା ଜୁନ୍ ୧୨ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ରାଜ୍ୟବାସୀଙ୍କ ଭରସା ସହ ଓଡ଼ିଶାରେ ଏକ ନୂଆ ସୁଶାସନର ଯୁଗ ଆରମ୍ଭ ହୋଇଥିଲା। ରାଜ୍ୟର ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ସରକାର ସମର୍ପିତ ରହିବେ ବୋଲି ସେ କହିଛନ୍ତି। ସେହିପରି ଅପରାହ୍ନ ୪ଟାରେ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଏବଂ ସୁଭଦ୍ରା ଶକ୍ତି ସଂବାଦର ଶୁଭାରମ୍ଭ ହେବ।ଏହାସହ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍‌ ପ୍ରଦାନ କାର୍ଯ୍ୟକ୍ରମର ମଧ୍ୟ ଆରମ୍ଭ କରାଯିବ।ଭୁବନେଶ୍ୱରର ବିକାଶ ଦିଗରେ ମଧ୍ୟ ଅନେକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରାଯିବ।

ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସରୁ ଇନ୍‌ଫୋସିଟି ଭାୟା ଏକାମ୍ରକାନନ ରାସ୍ତାର ଉଦ୍‌ଘାଟନ ସହ ଜୟଦେବ ବିହାର ଓ ନନ୍ଦନକାନନ ନୂଆ ରାସ୍ତାର କାର୍ଯ୍ୟ ଆରମ୍ଭ ପାଇଁ ଶିଳାନ୍ୟାସ କରାଯିବ।ଏହା ସହ ୟୁନିଟ୍‌-୨ରେ ୫୭୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଜନାଶ୍ରୟ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।ଏହି ବିଶେଷ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ବିଧାୟକ ବାବୁ ସିଂଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ରହିବେ। ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜିର ଦିନଟି ରାଜ୍ୟ ରାଜନୀତି ଓ ପ୍ରଶାସନିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ।

Leave a Reply

Your email address will not be published. Required fields are marked *