Sun. Apr 19th, 2026

ନ୍ୟୁଜ ଡେକ୍ସ : କଟକ ବଡ ମେଡିକାଲର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ଗୁରୁତ୍ବର ସହ ନେଇଛି ଜାତୀୟ ମାନବାଧିକାର କମିଶନ। ଏହି ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସବିଶେଷ ରିପୋର୍ଟ ତଲବ କରାଯାଇଛି। ୧୫ ଦିନ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦେବାକୁ କମିଶନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନା ଏହି ଘଟଣା ନେଇ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ।

ପରେ କମିଶନର ସଦସ୍ୟ ଜଷ୍ଟିସ୍ ବି.ଆର. ଷଡ଼ଙ୍ଗୀ ମାମଲାର ଶୁଣାଣି କରି ତୁରନ୍ତ ରିପୋର୍ଟ ଦେବାକୁ ଆଦେଶ ଜାରି କରିଛନ୍ତି।ଅଭିଯୋଗ ଅନୁଯାୟୀ, ଟ୍ରମା କେୟାର ସେଣ୍ଟରର ପ୍ରଥମ ମହଲାରେ ଥିବା ଆଇସିୟୁରେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା। ସେତେବେଳେ ୨୩ ଜଣ ଗୁରୁତର ରୋଗୀ ସେଠାରେ ଚିକିତ୍ସାଧୀନ ଥିଲେ। ହସ୍ପିଟାଲରେ ଯଥେଷ୍ଟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଓ ଅବହେଳା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ଉଠିଛି। ଉଦ୍ଧାର କାର୍ଯ୍ୟ ସମୟରେ ସ୍ପ୍ରିଙ୍କଲର ସମୟରେ କାମ ନକରିବାରୁ ଅଗ୍ନି ନିର୍ବାପନ କାର୍ଯ୍ୟରେ ବିଳମ୍ବ ହୋଇଥିବା ମଧ୍ୟ କୁହାଯାଇଛି।

ଏହାକୁ ଗୁରୁତର ମାନବାଧିକାର ଉଲ୍ଲଙ୍ଘନ ବୋଲି ଉଲ୍ଲେଖ କରି ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏହା ସହ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଓ ଆହତଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାବି ଉଠିଛି।ଏହି ଘଟଣା ପରେ ଅନ୍ୟ ଜିଲ୍ଲାରେ ମଧ୍ୟ ସତର୍କତା ବୃଦ୍ଧି କରାଯାଇଛି। ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ବିଶେଷ ଯାଞ୍ଚ କରାଯାଇଛି। ଜିଲ୍ଲାପାଳ, ଏସପି, ଅଗ୍ନିଶମ ବିଭାଗ ଅଧିକାରୀ ଓ ସିଡିଏମଓ ମିଳିତ ଭାବେ ହସ୍ପିଟାଲର ବିଭିନ୍ନ ୱାର୍ଡ ଯାଞ୍ଚ କରି ସୁରକ୍ଷା ବ୍ୟବସ୍ଥାକୁ ପରଖିଛନ୍ତି।

Leave a Reply

Your email address will not be published. Required fields are marked *