ନ୍ୟୁଜ ଡେକ୍ସ : ଉତ୍ତର ପ୍ରଦେଶର ନୋଏଡାରୁ ଆସାମର ଗୌହାଟୀକୁ ପଠାଯାଉଥିବା କୋଟି କୋଟି ଟଙ୍କାର ମୂଲ୍ୟବାନ ମୋବାଇଲ ଫୋନ ଓ ସେଥି ସମ୍ବନ୍ଧୀୟ ସାମଗ୍ରୀ ବିହାରର ଆରାରିଆ ଜିଲ୍ଲାରୁ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। କଣ୍ଟେନରରୁ ପ୍ରାୟ ୧୨ କୋଟି ଟଙ୍କା ମୂଲ୍ୟର ମୋବାଇଲ ଫୋନ ନିଖୋଜ ହୋଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ଏହି ଘଟଣାରେ ଉତ୍ତର ପ୍ରଦେଶର ଆମ୍ବେଦକର ନଗର ଅଞ୍ଚଳର ବାସିନ୍ଦା ରାଣା ରମାଞ୍ଜୟ ସିଂହଙ୍କ ଅନଲାଇନ ଅଭିଯୋଗ ଆଧାରରେ ଆରାରିଆ ନଗର ଥାନାରେ ମାମଲା ରୁଜୁ କରାଯାଇଛି।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୁଲିସ ଅଧିକ୍ଷକ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରିଛନ୍ତି। ଦଳ ବୈଷୟିକ ପ୍ରମାଣ ଆଧାରରେ ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁଯାୟୀ, କଣ୍ଟେନରରେ ତିନୋଟି ପ୍ରମୁଖ ମୋବାଇଲ କମ୍ପାନୀର ଦାମୀ ସ୍ମାର୍ଟଫୋନ ରହିଥିଲା। ଜୁନ ୬ ତାରିଖରେ କଣ୍ଟେନରଟି ଗୋଦାମରୁ ଗୌହାଟୀ ଅଭିମୁଖେ ଯାତ୍ରା କରିଥିଲା। ସେଥିରେ ମୋଟ ୧୧୪୩ଟି ବକ୍ସ ମୋବାଇଲ ଫୋନ ଥିବାବେଳେ ୬୧୨ଟି ବକ୍ସ ନିଖୋଜ ହୋଇଥିବା ଜଣାପଡ଼ିଛି। କମ୍ପାନୀ ପକ୍ଷରୁ ଚାଳକମାନଙ୍କ ସହ ନିୟମିତ ଯୋଗାଯୋଗ କରାଯାଉଥିଲା। କିନ୍ତୁ ଜୁନ ୭ ତାରିଖରୁ ସେମାନେ ଫୋନ ଉଠାଇବା ବନ୍ଦ କରିଦେଇଥିଲେ।
ଗାଡ଼ିର ଯାତ୍ରା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ କରିବାରୁ ଜଣାପଡ଼ିଥିଲା ଯେ ଜୁନ ୭ ତାରିଖ ସନ୍ଧ୍ୟାରେ ଏକ ଟୋଲ ପ୍ଲାଜାରେ ଶେଷଥର ପାଇଁ ଶୁଳ୍କ କଟାଯାଇଥିଲା।ପରଦିନ ଆରାରିଆ ଜିରୋ ମାଇଲ ନିକଟରେ କଣ୍ଟେନରଟି ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା। ଘଟଣା ପରଠାରୁ ଚାଳକ ଓ ସହଯୋଗୀ ଫେରାର ଥିବା ଜଣାପଡ଼ିଛି। ପୁଲିସ ସେମାନଙ୍କ ସନ୍ଧାନ ଜାରି ରଖିଥିବାବେଳେ ନିଖୋଜ ମୋବାଇଲ ଫୋନଗୁଡ଼ିକର ପରିଚୟ ସଂଖ୍ୟା ଆଧାରରେ ତଦନ୍ତକୁ ଆଗେଇ ନେଉଛି।

