ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ଦୁର୍ନୀତି ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ବରଗଡ଼ ଜଳସେଚନ ଡିଭିଜନର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ମଦନ ମୋହନ ସେଠୀ, ଭେଡେନ ଜଳସେଚନ ସବ ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାଜ କୁମାର ମିଶ୍ର ଏବଂ ବରଗଡ଼ କେନାଲ ସେକ୍ସନର ସହକାରୀ ଯନ୍ତ୍ରୀ ରଞ୍ଜନ ପଟେଲ ନିଲମ୍ବିତ ହୋଇଛନ୍ତି।
ପ୍ରକଳ୍ପ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଓଡ଼ିଶା ସିଭିଲ ସେବା ନିୟମ ୧୯୬୨ ର ଧାରା ୧୨ ଉପଧାରା ୧ ଅନୁଯାୟୀ ରାଜ୍ୟପାଳଙ୍କ ଆଦେଶକ୍ରମେ ନିଲମ୍ବନ ଆଦେଶ ଜାରି ହୋଇଛି।ନିଲମ୍ବନ ସମୟରେ ମଦନ ମୋହନ ସେଠୀଙ୍କୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବଂ ରାଜ କୁମାର ମିଶ୍ର ଓ ରଞ୍ଜନ ପଟେଲଙ୍କୁ ମହାନଦୀ ବେସିନ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।

