ନ୍ୟୁଜ ଡେକ୍ସ : ନରେନ୍ଦ୍ର ମୋଦୀ ଜବାହରଲାଲ ନେହେରୁଙ୍କ ରେକର୍ଡକୁ ଭାଙ୍ଗି ଭାରତରେ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଏହା ସହିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ୧୨ ବର୍ଷ ପୂରଣ କରିଛି।ବୁଧବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ମେଣ୍ଟ ସହଯୋଗୀ ଦଳମାନଙ୍କ ନେତାମାନେ ସରକାରର ୧୨ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବେ ବୋଲି ସୂଚନା ମିଳିଛି। ଏହି ଅବସରକୁ ଦେଶର ରାଜନୈତିକ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ଟୋନ୍ ଭାବେ ଦେଖାଯାଉଛି।
ସୂଚନା ଅନୁଯାୟୀ, ଜୁନ ୧୦ ତାରିଖରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଲଗାତାର ୪୩୯୯ ଦିନ ପୂରଣ କରିବେ, ଯାହା ଜବାହରଲାଲ ନେହେରୁଙ୍କ ୪୩୯୮ ଦିନ ଅପେକ୍ଷା ଗୋଟିଏ ଦିନ ଅଧିକ। ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ସାଧାରଣ ନିର୍ବାଚନ ପରେ ନେହେରୁ ୧୯୫୨ ମସିହାରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୧୯୬୪ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ।
ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ଏକ ଶୀର୍ଷ ନେତା କହିଛନ୍ତି ଯେ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ୧୨ ବର୍ଷ ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣରେ ପରିପୂର୍ଣ୍ଣ ରହିଛି। ଏହି ସମୟ ଭାରତର ଆର୍ଥିକ ସଶକ୍ତିକରଣ ଏବଂ ବିଶ୍ୱସ୍ତରରେ ଦେଶର ସମ୍ମାନ ବୃଦ୍ଧିର ଯୁଗ ଭାବେ ଇତିହାସରେ ଲିପିବଦ୍ଧ ହେବ ବୋଲି ସେ କହିଛନ୍ତି। ଏହି ନୂତନ ରେକର୍ଡ ସହିତ ଦେଶର ରାଜନୈତିକ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଗ ହୋଇଛି ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।

