ନ୍ୟୁଜ ଡେକ୍ସ : ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ସରକାର ବୃହତ୍ ପଦକ୍ଷେପ ନେଇଛନ୍ତି। ମହାନଦୀ ସଂଲଗ୍ନ ହୀରାକୁଦ ଓ ବୁର୍ଲା ପାର୍ଶ୍ୱରେ ରିଂରୋଡ଼ ନିର୍ମାଣ ସହ ଏକ ଆଧୁନିକ ଓ ଆକର୍ଷଣୀୟ ପୋଲ ନିର୍ମାଣ କରାଯିବ। ଏହା ସହିତ ହୀରାକୁଦ ନଦୀବନ୍ଧ ଯୋଗୁଁ ମହାନଦୀ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରାୟ ୩୦୦ ଏକର ପରିମିତିର ଟାପୁକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବ।ଏହି ପ୍ରକଳ୍ପ ଅନ୍ତର୍ଗତ ହୀରାକୁଦ ଓ ବୁର୍ଲା ପାର୍ଶ୍ୱରୁ ଦୁଇଟି ପୋଲ ନିର୍ମାଣ ହେବ।
ବୁର୍ଲା ପାର୍ଶ୍ୱରୁ ଟାପୁ ପର୍ଯ୍ୟନ୍ତ ୮୭୬ ମିଟର, ହୀରାକୁଦ ପାର୍ଶ୍ୱରୁ ଟାପୁ ପର୍ଯ୍ୟନ୍ତ ୪୭୫ ମିଟର ଏବଂ ଟାପୁ ଅଞ୍ଚଳରେ ୩୯୩ ମିଟର ଲମ୍ବର ରାସ୍ତା ଓ ପୋଲ ନିର୍ମାଣ ହେବ। ସମୁଦାୟ ଏହି ପ୍ରକଳ୍ପର ଲମ୍ବ ପ୍ରାୟ ୧.୯ କିଲୋମିଟର ହେବ।ପ୍ରକଳ୍ପ ପାଇଁ ୩୫୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ହୀରାକୁଦ ନଦୀବନ୍ଧରୁ ପ୍ରାୟ ଏକ କିଲୋମିଟର ଦୂରରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି ପୋଲ ନିର୍ମାଣ ହେବ। ଏହା ନିର୍ମାଣ ହେଲେ ବୁର୍ଲାରୁ ହୀରାକୁଦ ମଧ୍ୟରେ ଦୂରତା ହ୍ରାସ ପାଇବ ଏବଂ ଯାତାୟାତ ଅଧିକ ସୁବିଧାଜନକ ହେବ। ପୋଲରେ ଯାନବାହନ ଚଳାଚଳ ପାଇଁ ସାଢ଼େ ଦଶ ମିଟର ଚଉଡ଼ା ରାସ୍ତା ରହିବ। ଏହା ସହ ଉଭୟ ପାର୍ଶ୍ୱରେ ତିନି ମିଟର ଚଉଡ଼ା ସାଇକେଲ ଚଳାଚଳ ପଥ ଏବଂ ଦେଢ଼ ମିଟର ଚଉଡ଼ା ପଦଚାରୀ ପଥ ନିର୍ମାଣ କରାଯିବ।
ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ପୋଲରେ ସ୍ୱଚ୍ଛ କାଚର ଏକ ବିଶେଷ ଅଂଶ ମଧ୍ୟ ରହିବ। ସମୁଦାୟ ପୋଲର ଚଉଡ଼ା ୧୯.୫ ମିଟର ହେବ।ଏହି ସ୍ୱଚ୍ଛ କାଚ ଅଂଶରୁ ପର୍ଯ୍ୟଟକମାନେ ହୀରାକୁଦ ନଦୀବନ୍ଧ, ମହାନଦୀର ଜଳରାଶି ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭୂତି ନେଇପାରିବେ। ବୁର୍ଲା କେନ୍ଦ୍ରୀୟ ବିଦ୍ୟାଳୟ ନିକଟରୁ ଆରମ୍ଭ ହୋଇ ଟାପୁ ଦେଇ ହୀରାକୁଦ ପର୍ଯ୍ୟନ୍ତ ଏହି ପୋଲ ଯିବ ଏବଂ ଉଭୟ ପାର୍ଶ୍ୱରେ ନିର୍ମାଣ ହେବାକୁ ଥିବା ବାହ୍ୟ ରିଂରୋଡ଼ ସହ ସଂଯୁକ୍ତ ହେବ।ସେହିପରି ଟାପୁ ଅଞ୍ଚଳକୁ ମଧ୍ୟ ଆଧୁନିକ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକାଶ କରାଯିବ। ସେଠାରେ ପର୍ଯ୍ୟଟକଙ୍କ ଆମୋଦ-ପ୍ରମୋଦ ଓ ଅବସର ବିନୋଦନ ପାଇଁ ବିଭିନ୍ନ ସୁବିଧା ଏବଂ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ ବୋଲି ସରକାରୀ ସ୍ତରରେ ସୂଚନା ମିଳିଛି।

