ନ୍ୟୁଜ ଡେକ୍ସ : ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତା ବୃଦ୍ଧି କରାଯାଇଥିବାବେଳେ ଏହାକୁ ନେଇ ଗୃହରକ୍ଷୀମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ ଦୈନିକ ଭତ୍ତାରେ ୧୧ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବରୁ ଗୃହରକ୍ଷୀମାନେ ଦୈନିକ ୬୩୯ ଟଙ୍କା ପାଉଥିବାବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ ୬୫୦ ଟଙ୍କାରେ ପହଞ୍ଚିଛି।କେବଳ ଭତ୍ତା ବୃଦ୍ଧି ନୁହେଁ, ଏହି ବର୍ଦ୍ଧିତ ଭତ୍ତା ପୂର୍ବବର୍ତ୍ତୀ ଭାବେ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଲାଗୁ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଫଳରେ ଗୃହରକ୍ଷୀମାନେ ବର୍ଦ୍ଧିତ ଭତ୍ତାର ଲାଭ ପିଛିଲା ତାରିଖରୁ ପାଇପାରିବେ।ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଓ ବିଭିନ୍ନ ସରକାରୀ କାର୍ଯ୍ୟରେ ଗୃହରକ୍ଷୀମାନଙ୍କ ଅବଦାନକୁ ସ୍ୱୀକୃତି ଦେଇ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ଏହି ଘୋଷଣା ରାଜ୍ୟର ହଜାର ହଜାର ଗୃହରକ୍ଷୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଛି।

