Wed. Jun 3rd, 2026

ନ୍ୟୁଜ ଡେକ୍ସ : ଝାରସୁଗୁଡ଼ା ଜିଲ୍ଲାରେ କଲେଜ ଛାତ୍ର ହତ୍ୟାକାଣ୍ଡକୁ ନେଇ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିନ ଦ୍ୱିପହରରେ ଜଣେ କଲେଜ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ସକାଳେ ପୋଲିସ ଏନକାଉଣ୍ଟର କରିଛି। ଗୁଳି ବିନିମୟରେ ଦୁଇ ଅପରାଧୀ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହତ ଅଭିଯୁକ୍ତ ହେଲେ ସୁନିଲ ମହାନନ୍ଦ ଓ ଚାନ୍ଦ ବନଛୋର। ଏନେଇ ବେଲପାହାଡ଼ ଥାନା ଆଇଆଇସି ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ, ଗତକାଲି ବେଲପାହାଡ଼ ଫାଟକ ନିକଟ ଗାନ୍ଧୀନଗର ଅଞ୍ଚଳରେ ଏକ ସାମାନ୍ୟ ଯାନବାହନ ଦୁର୍ଘଟଣାକୁ କେନ୍ଦ୍ର କରି ଏହି ରକ୍ତରଞ୍ଜିତ ଘଟଣା ଘଟିଥିଲା। ଜୁନାଡିହି କଲେଜର ଦୁଇ ଛାତ୍ର ରାହୁଲ ମହତ୍ ଓ ଆକାଶ ସାହୁ ଏକ ସ୍କୁଟିରେ ଯାଉଥିବା ବେଳେ ଏକ କାର୍‌ ସହ ଧକ୍କା ହୋଇଥିଲା। ଏହାପରେ କାର୍‌ରେ ଥିବା ୪ ଜଣ ଯୁବକ ଗାଡ଼ିରୁ ଓହ୍ଲାଇ ଦୁଇ ଛାତ୍ରଙ୍କ ସହ ବଚସା କରିଥିଲେ। ରାସ୍ତା ଉପରେ ଆରମ୍ଭ ହୋଇଥିବା ଏହି ଯୁକ୍ତିତର୍କ କିଛି ସମୟ ମଧ୍ୟରେ ଭୟଙ୍କର ରୂପ ନେଇଥିଲା। ଅଭିଯୁକ୍ତମାନେ କାର୍‌ରୁ ଖଣ୍ଡା ଓ ଭୁଜାଲି ବାହାର କରି ରାହୁଲ ଓ ଆକାଶଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ମରଣାନ୍ତକ ଆକ୍ରମଣରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ରାହୁଲଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଆକାଶ ଗୁରୁତର ଆହତ ହୋଇ ଏବେବି ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ରାଜରାସ୍ତାରେ ଦିନ ଦ୍ୱିପହରରେ ଏଭଳି ହତ୍ୟାକାଣ୍ଡ ଘଟିବା ପରେ ପୋଲିସ ଆଲର୍ଟ ମୋଡ୍‌କୁ ଯାଇଥିଲା। ତୁରନ୍ତ ମାମଲାର ତଦନ୍ତ ଆରମ୍ଭ କରି ପୋଲିସ ଗତକାଲି ହିଁ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା। ହେଲେ ମୁଖ୍ୟ ଆକ୍ରମଣକାରୀ ସୁନିଲ ଓ ଚାନ୍ଦ ଫେରାର ଥିଲେ। ଆଜି ସକାଳେ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା ଯେ, ସୁନିଲ ଓ ଚାନ୍ଦ ଏକ ସ୍ଥାନରେ ଲୁଚି ରହିଛନ୍ତି। ଏହାପରେ ବେଲପାହାଡ଼ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଦୁଇ ଅଭିଯୁକ୍ତ ଖସି ପଳାଇବାକୁ ଉଦ୍ୟମ କରିଥିଲେ।

ସେମାନେ ପୋଲିସ ଟିମ୍‌ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇଥିଲା। ପୋଲିସ ଗୁଳିରେ ସୁନିଲ ଓ ଚାନ୍ଦଙ୍କ ଜଙ୍ଘରେ ଗୁଳି ବାଜିଥିଲା।ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସୁନିଲ ଓ ଚାନ୍ଦ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ଏବଂ ସେମାନଙ୍କ ନାଁରେ ସମ୍ବଲପୁର ଓ ବୁର୍ଲାର ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଛି। ଏହି ହତ୍ୟାକାଣ୍ଡରେ ଆହୁରି କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ଅଧିକ ଖୋଳତାଡ଼ ଚଳାଇଛି।

Leave a Reply

Your email address will not be published. Required fields are marked *