ନ୍ୟୁଜ ଡେକ୍ସ : ରାୟଗଡା ସହରରେ ଚଞ୍ଚଲ୍ୟ ସୃଷ୍ଟି କରିଥିବା ଏକ ହତ୍ୟାକାଣ୍ଡ ଘଟିଛି। ସହରର ରେଲି ସାହିର ଯୁବକ ନିଖିଲ ହାଡ଼ିପାଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ମୃତଦେହ ତୁମ୍ବିଗୁଡା ନିକଟସ୍ଥ ନାଗାବଳୀ ନଦୀ କୂଳରୁ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି।ସୂଚନା ଅନୁଯାୟୀ, ଗତକାଲି ରାତିରେ ଇନ୍ଦିରା ନଗର ତୃତୀୟ ଲେନରେ କିଛି ଅଜଣା ଦୁର୍ବୁତ୍ତ ନିଖିଲଙ୍କୁ ପିଛା କରିଥିଲେ।
ସେମାନେ ଏକ ବୁଲେଟ ଓ ଏକ ଚାରିଚକିଆ ଗାଡ଼ିରେ ଆସିଥିବା କୁହାଯାଉଛି। ରାତି ପ୍ରାୟ ୧୦ଟା ସମୟରେ ନିଖିଲ ଓ ଦୁର୍ବୁତ୍ତମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଭୟରେ ନିଖିଲ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିବା ବେଳେ ଫାୟାରିଂ ହୋଇଥିବା ସୂଚନା ମିଳିଛି।ପ୍ରାଣ ବଞ୍ଚାଇବାକୁ ନିଖିଲ ଏକ ଘର ଭିତରକୁ ପଶିଥିଲେ ମଧ୍ୟ ଦୁର୍ବୁତ୍ତମାନେ ତାଙ୍କୁ ସେଠାରୁ ଅପହରଣ କରି ରିଂ ରୋଡ୍ ଦିଗକୁ ନେଇଯାଇଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ହତ୍ୟା କରି ନାଗାବଳୀ ନଦୀ କୂଳରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ପୁଲିସର ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେଠାରୁ ଏକ ବ୍ୟବହୃତ ଖୋକା ମଧ୍ୟ ଜବତ କରାଯାଇଛି।ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଓ ଭୟର ପରିବେଶ ସୃଷ୍ଟି ହୋଇଛି।ଘଟଣାସ୍ଥଳରେ ଏସପି ସ୍ୱାତୀ ଏସ୍ କୁମାର, ଏସଡିପିଓ ଗୌରହରି ସାହୁ ସହ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ତଦନ୍ତକୁ ତ୍ୱରାନ୍ୱିତ କରିଛନ୍ତି।

