ନ୍ୟୁଜ ଡେକ୍ସ : ରାଜଧାନୀ ଉପକଣ୍ଠ ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାକୁ ୨୪ ଘଣ୍ଟା ପୂରିନଥିବା ବେଳେ ପୁଣି ବାଲିପାଟଣାରେ ଘଟିଛି ଆଉ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଟଙ୍କା କାରବାରକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ତାଙ୍କ ସାଙ୍ଗ ନିସ୍ତୁକ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାଟି ବାଲିପାଟଣା ଥାନା ଅନ୍ତର୍ଗତ ଅଠାନ୍ତର ଛକ ଅଞ୍ଚଳରେ ଘଟିଛି ।ମୃତକ ହେଲେ ଅଠାନ୍ତର ଗ୍ରାମର ରାକେଶ ଦାସ (୪୩) । ସୂଚନା ଅନୁଯାୟୀ, ଶୁକ୍ରବାର ବେଙ୍ଗବତୀ ଗ୍ରାମରେ ଦୁଇ ସାଙ୍ଗଙ୍କ ମଧ୍ୟରେ ଟଙ୍କାକୁ ନେଇ ବଚସା ହୋଇଥିଲା ।
ଏହାପରେ ଅଭିଯୁକ୍ତ ଜାକିର୍ ସାହ ଲୁହାରଡରେ ରାକେଶଙ୍କୁ ଆକ୍ରମଣ କରିଥିବା କୁହାଯାଉଛି । ଗୁରୁତର ଅବସ୍ଥାରେ ରାକେଶଙ୍କୁ ପ୍ରଥମେ ହସ୍ପିଟାଲକୁ ନିଆଯାଇଥିଲା । ପରେ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଘଟଣା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ବେଙ୍ଗବତୀ ଗ୍ରାମର ଅଭିଯୁକ୍ତ ଜାକିର୍ ସାହଙ୍କୁ ଗିରଫ କରିଛି । ବାଲିପାଟଣା ଥାନାଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ କହିଛନ୍ତି ଯେ, ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରାଯାଇଛି ।
ମୃତକଙ୍କ ମା’ ପ୍ରଭାସିନୀ ଦାସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି । ଘଟଣାର ପ୍ରକୃତ କାରଣ ଜାଣିବାକୁ ଅଧିକ ତଦନ୍ତ ଚାଲିଛି ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ନିଶାଗ୍ରସ୍ତ ଅବସ୍ଥାରେ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ମୃତଦେହର ବ୍ୟବଚ୍ଛେଦ ପରେ ଶନିବାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

