Wed. Jun 3rd, 2026

ନ୍ୟୁଜ ଡେକ୍ସ : ରାଜଧାନୀ ଉପକଣ୍ଠରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜଣେ ଯୁବକଙ୍କୁ ଲୋକେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଓଲଟପୁର ଥାନା ମଉଜପୁର ଗାଁର ସୌମ୍ୟ ରଞ୍ଜନ ସ୍ଵାଇଁ । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢାଉ ଜାରି ରଖିଛି ।

ଘଟଣା ପରେ ବାଲିଅନ୍ତା ଥାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା । ସୌମ୍ୟଙ୍କ ସମ୍ପର୍କୀୟମାନେ ଥାନା ଘେରାଉ କରିବା ସହ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ।ସୂଚନା ଅନୁସାରେ, ବାଲିଅନ୍ତା ଥାନା ଅଞ୍ଚଳର ଦୁଇ ଯୁବତୀ ସ୍କୁଟିରେ ଭିଙ୍ଗାରପୁର ଯାଉଥିବା ବେଳେ ସୌମ୍ୟ ରଞ୍ଜନ ଓ ତାଙ୍କ ସହଯୋଗୀ ଓମ ପ୍ରକାଶ ଏକ ବାଇକରେ ଆସି ସେମାନଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଯୁବତୀମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା ।

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ସୌମ୍ୟ ରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ ।ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି । ଏହି ଘଟଣାରେ ତିନୋଟି ପକ୍ଷ ଥିବା ଜଣାପଡ଼ିଛି । ସ୍କୁଟିରେ ଥିବା ଦୁଇ ଯୁବତୀ, ବାଇକରେ ଥିବା ଦୁଇ ଯୁବକ ଏବଂ ସ୍ଥାନୀୟ ଲୋକଙ୍କ ଭୂମିକାକୁ ନେଇ ତଦନ୍ତ କରାଯାଉଛି । ମୃତକଙ୍କ ସହ ଥିବା ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଭିଡିଓ ଫୁଟେଜ୍ ଆଧାରରେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଉଛି ।ସୌମ୍ୟ ରଞ୍ଜନ ଜିଆରପିରେ କାର୍ଯ୍ୟରତ ଥିବା ଜଣାପଡ଼ିଛି । ଏନେଇ ଜିଆରପିର ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଛି ।

Leave a Reply

Your email address will not be published. Required fields are marked *