ନ୍ୟୁଜ ଡେକ୍ସ : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ଜରାବଗା ପଞ୍ଚାୟତ ଅନ୍ତର୍ଗତ ସର୍ଗିଡିହି ଗାଁରେ ଏକ ଅଭାବନୀୟ ଓ ହୃଦୟବିଦାରକ ଘଟଣା ଘଟିଛି। ଜନ୍ମକଲା ମାଆ ନିଜର ଦୁଇ ଶିଶୁକନ୍ୟାଙ୍କୁ କୂଅରେ ପକାଇ ହତ୍ୟା କରିଥିବା ଅଭିଯୋଗ ଆସିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି।ସୂଚନା ଅନୁଯାୟୀ ସର୍ଗିଡିହି ଗ୍ରାମର ଜେମେସ ମାଡ଼କିଙ୍କ ସ୍ତ୍ରୀ ସଞ୍ଜୁ ମାଡ଼କି ଶୁକ୍ରବାର ଦିନ ନିଜର ଦୁଇ କନ୍ୟା ସନ୍ତାନଙ୍କୁ ନେଇ ଘରୁ କେଉଁଠିକି ଚାଲିଯାଇଥିଲେ।
କିଛି ସମୟ ପରେ ସେ ଏକୁଟିଆ ଘରକୁ ଫେରିଥିଲେ। ଏଥିରେ ସ୍ୱାମୀ ଜେମେସ ମାଡ଼କି ପିଲାମାନେ କେଉଁଠି ଅଛନ୍ତି ବୋଲି ପଚାରିଥିଲେ। ସେତେବେଳେ ସଞ୍ଜୁ ଶିଶୁମାନଙ୍କୁ ଘର ପାଖରେ ଥିବା ଚାଷ ଜମିର କୂଅରେ ପକାଇ ଦେଇଥିବା କହି ସେଠାରୁ ଫେରାର ହୋଇଯାଇଥିଲେ।ଘଟଣା ସମ୍ପର୍କରେ ଜାଣିବା ପରେ ଜେମେସ ମାଡ଼କି ଗ୍ରାମବାସୀଙ୍କ ସହଯୋଗରେ ଉଭୟ ଶିଶୁକନ୍ୟାଙ୍କୁ କୂଅରୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁମାନଙ୍କ ମଧ୍ୟରୁ ବଡ଼ ଝିଅର ବୟସ ୬ ବର୍ଷ ଓ ତାଙ୍କ ନାମ ସୁହାନା ମାଡ଼କି ବୋଲି ଜଣାପଡ଼ିଛି। ଅନ୍ୟପଟେ ମାତ୍ର ୪ ମାସର ସାନ ଝିଅଟିର ନାମକରଣ ମଧ୍ୟ ହୋଇନଥିଲା।
ଘଟଣା ପରଠାରୁ ଅଭିଯୁକ୍ତ ମାଆ ସଞ୍ଜୁ ମାଡ଼କି ଫେରାର ଥିବା ଜଣାପଡ଼ିଛି। ପରିବାର ପକ୍ଷରୁ କୁହାଯାଇଛି ଯେ ସେ କିଛିଦିନ ଧରି ସାମାନ୍ୟ ମାନସିକ ଅସୁସ୍ଥତାରେ ଭୋଗୁଥିଲେ।ଘଟଣା ସମ୍ପର୍କରେ ସୂଚନା ପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ଅଭିଯୁକ୍ତ ମାଆଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି।

