Thu. Apr 16th, 2026

ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନକୁ ନେଇ ବଡ଼ ବିବାଦ ସାମ୍ନାକୁ ଆସିଛି। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ ମତଦାନ କରିବା ପାଇଁ ରାଜ୍ୟ କଂଗ୍ରେସ ବିଧାୟକମାନଙ୍କୁ ବେଙ୍ଗାଲୁରୁର ଏକ ତାରକା ରିସର୍ଟରେ ପ୍ରଲୋଭନ ଦେବା ଅଭିଯୋଗରେ କର୍ଣ୍ଣାଟକ ପୁଲିସ ୪ ଜଣଙ୍କୁ ଗିରଫ କରିଛି।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରାଉରକେଲାର ବୀରେନ୍ଦ୍ର ପ୍ରସାଦ, ସୁରେଶ, ଅଜିତ ସାହୁ ଓ ସୀମାଞ୍ଚଳ ମହାକୁଡ଼।

ଘଟଣାସ୍ଥଳରୁ ବୀରେନ୍ଦ୍ର ପ୍ରସାଦ ଓ ସୁରେଶଙ୍କୁ ପୁଲିସ ପ୍ରଥମେ ଗିରଫ କରିଥିଲା। ଅନ୍ୟ ଦୁଇ ଅଭିଯୁକ୍ତ ଅଜିତ ସାହୁ ଓ ସୀମାଞ୍ଚଳ ମହାକୁଡ଼ ଘଟଣା ପରେ ଚମ୍ପଟ ମାରିଥିଲେ। ପରେ କର୍ଣ୍ଣାଟକ-ତାମିଲନାଡୁ ସୀମା ଅଞ୍ଚଳରୁ ରବିବାର ସନ୍ଧ୍ୟାରେ ସେମାନଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୭୩(୧), ୬୨, ୩୫୨, ୩୫୧(୨) ସହିତ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୭(କ) ଓ ୮ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ଘଟଣା ସମ୍ପର୍କରେ ରାଜ୍ୟ କଂଗ୍ରେସ ବିଧାୟକ ଦଳର ଉପନେତା ଅଶୋକ ଦାସ ଦକ୍ଷିଣ ବେଙ୍ଗାଲୁରୁର ଡିଡ଼ାଡି ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗରେ କୁହାଯାଇଛି ଯେ ବିଜେପି ସପକ୍ଷରେ କ୍ରସ ଭୋଟିଂ କରିବା ପାଇଁ ପ୍ରତ୍ୟେକ କଂଗ୍ରେସ ବିଧାୟକଙ୍କୁ ୫ କୋଟି ଟଙ୍କା ଲାଞ୍ଚ ଦେବା ପ୍ରସ୍ତାବ ଦିଆଯାଇଥିଲା।ସୂଚନା ଅନୁସାରେ ରବିବାର ସକାଳେ ରିସର୍ଟରେ ବିଧାୟକମାନେ ଜଳଖିଆ କରୁଥିବା ବେଳେ ୪ ଅଭିଯୁକ୍ତ ଆସପାସରେ ଘୁରୁଥିବା ସହ ବିଧାୟକମାନଙ୍କ ସହ କଥାହେବାକୁ ଚେଷ୍ଟା କରୁଥିଲେ। ବିଧାୟକମାନେ ଲିଫ୍ଟରେ ଯିବାବେଳେ ସେମାନେ ମଧ୍ୟ ସେଠାକୁ ପହଞ୍ଚିଥିଲେ। ସେମାନଙ୍କ ଚଳଚଳାହଟକୁ ନେଇ ସନ୍ଦେହ ହେବାରୁ ପୁଲିସକୁ ସୂଚନା ଦିଆଯାଇଥିଲା।ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଛି ଯେ ଅଭିଯୁକ୍ତମାନେ ବିଧାୟକମାନଙ୍କୁ ପ୍ରତିଜଣଙ୍କ ପାଇଁ ୫ କୋଟି ଟଙ୍କା ଦେବା ପ୍ରସ୍ତାବ ଦେଇଥିଲେ ଏବଂ ସେଥିପାଇଁ ବ୍ଲାଙ୍କ ଚେକ ମଧ୍ୟ ଆଣିଥିଲେ। ଏହି ଚେକରେ ବୀରେନ୍ଦ୍ର ପ୍ରସାଦଙ୍କ ଦସ୍ତଖତ ଥିବା ବେଳେ ଏହା ରାଉରକେଲା ଉଦିତନଗର ଏସବିଆଇ ବ୍ୟାଙ୍କ ଶାଖାର ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କ ମୋବାଇଲ କଲ ଡିଟେଲ୍ସ ଓ ମେସେଜ୍‌ର ଯାଞ୍ଚ କରିଥିଲା। ପ୍ରାଥମିକ ତଦନ୍ତରୁ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ସେମାନେ ଦିଲୀପ ରାୟଙ୍କ ସହ ଜଡିତ ଥିବା ସନ୍ଦେହ କରାଯାଉଛି।

ମେ’ ଫେୟାର ହୋଟେଲର ଏଜିଏମ ପ୍ରମୋଦ ଜେନାଙ୍କ ନମ୍ବରରୁ ଫୋନ୍ କଲ୍ ଓ ମେସେଜ୍ ଆସିଥିବା ସୂଚନା ମିଳିଛି।ଏହି ଘଟଣାକୁ ନେଇ ସାଂସଦ ଶ୍ରୀ ଉଲାକା କହିଛନ୍ତି ଯେ ଏହା ଘୋଡ଼ା ବେପାରର ଏକ ଉଦାହରଣ। ତାଙ୍କ କହିବା ଅନୁସାରେ କଂଗ୍ରେସ ବିଧାୟକମାନଙ୍କୁ ଟଙ୍କା ଦେବା ପ୍ରସ୍ତାବ ସହ ଅପହରଣ କରିବା ଧମକ ମଧ୍ୟ ଦିଆଯାଇଥିଲା। ଏହି ଘଟଣାରେ କେବଳ ଦିଲୀପ ରାୟ ନୁହେଁ, ଉଚ୍ଚସ୍ତରର ନେତାମାନେ ମଧ୍ୟ ସାମିଲ ଥିବା ସନ୍ଦେହ ଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *