ନ୍ୟୁଜ ଡେକ୍ସ : ସୁନ୍ଦରଗଡ଼ ଜିଲ୍ଲାରେ ପୁଲିସ ପକ୍ଷରୁ ଚାଲିଥିବା ବ୍ୟାପକ ଅଭିଯାନରେ ବଡ଼ ସଫଳତା ମିଳିଛି। ଏହି ଅଭିଯାନରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ୮୦୦ରୁ ଅଧିକ ଅବୈଧ ମଦ ବୋତଲ ଜବତ କରାଯାଇଛି। ଗତ କିଛି ମାସ ମଧ୍ୟରେ ଏହାକୁ ସୁନ୍ଦରଗଡ଼ ପୋଲିସର ଏକ ବଡ଼ ସଫଳତା ବୋଲି ଗଣାଯାଉଛି।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୌତମ ସାହୁ, ଛତ୍ରଭୁଜ ସାହୁ, ମୁକେଶ ବେହେରା, ଭୀମସେନ ସାହୁ ଓ ବନମାଳୀ ବେହେରା।
ପୁଲିସ ସୂଚନା ଅନୁଯାୟୀ, ସମସ୍ତେ କିଞ୍ଜିରିକେଲା ଗାଁର ବାସିନ୍ଦା।ଅଭିଯାନ ସମୟରେ ପୁଲିସ ୪୩୩ଟି ବିୟର ବୋତଲ ଓ କ୍ୟାନ୍ ଜବତ କରିଥିବାବେଳେ ୩୯୮ଟି ହ୍ୱିସ୍କି ଓ ଭୋଡକା ବୋତଲ ମଧ୍ୟ ଜବତ କରିଛି। ବିଭିନ୍ନ ବ୍ରାଣ୍ଡର ଏହି ମଦ ଅବୈଧ ଭାବେ ସଞ୍ଚୟ ଓ ବିକ୍ରୟ ପାଇଁ ରଖାଯାଇଥିବା ଜଣାପଡ଼ିଛି।ପୁଲିସ କହିଛି ଯେ, ଏହି ଅବୈଧ ମଦ ବ୍ୟବସାୟର ପୂରା ସପ୍ଲାଇ ଚେନ୍କୁ ଟ୍ରେସ୍ କରିବା ପାଇଁ ତଦନ୍ତ ଜାରି ରହିଛି।
ଏହା ପଛରେ ଜଡିତ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ମଧ୍ୟ ପୁଲିସ ପ୍ରୟାସ ଜାରି ରଖିଛି। ଅବୈଧ ମଦ ବ୍ୟବସାୟକୁ ନିୟନ୍ତ୍ରଣ କରିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି କଠୋର ଅଭିଯାନ ଜାରି ରହିବ ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

