ନ୍ୟୁଜ ଡେକ୍ସ: ପୋଲିସକୁ ମିଳିଛି ବଡ଼ ସଫଳତା । ପାଟ୍ରୋଲିଂ ବେଳେ ପ୍ରାୟ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛି ଗଜପତି ଜିଲ୍ଲା ଅଡ଼ବା ଥାନା l ଅଡ଼ବା ଥାନା କୁମ୍ଭାରପଦର- ରାମସିଂ ଗାଁ ନିକଟରେ ପେଟ୍ରୋଲିଂ କରୁଥିଲା ପୋଲିସ l
ଏହି ସମୟରେ ଜଙ୍ଗଲ ରାସ୍ତା ମଝିରେ କିଛି ବ୍ୟକ୍ତି ବ୍ୟାଗ ସହ ଠିଆ ହୋଇଥିଲେ l ହେଲେ ପୋଲିସକୁ ଦେଖି ସେମାନେ ଦୌଡ଼ି ପଳାଇଥିଲେ l ପୋଲିସ ମଧ୍ୟ ସେମାନଙ୍କ ପିଛା କରିଥିଲା। ସୂଚନାମୁତାବକ, ଅଡବା ଥାନା ଅନ୍ତର୍ଗତ ଗରଡମା ପଞ୍ଚାୟତ ରାମସିଂ ଗାଁ ନିକଟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ଖବର ପୋଲିସକୁ ମିଳିଥିଲା । ଏହାପରେ ଅଡବା ଓ ମୋହନା ପୋଲିସ ଟିମ ମିଳିତ ଚଢାଉ କରିଥିଲେ।
ଚଢ଼ାଉ ବେଳେ ୪୦ ବସ୍ତା ଗଞ୍ଜେଇ ଜବତ ହୋଇଥିଲା। ତେବେ ଏହି ଜବତ ଗଞ୍ଜେଇର ପରିମାଣ ୧୦ କୁଇଣ୍ଟାଲ ୫୦ କିଲୋ ରହିଛି ।ଏହାର ବଜାର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ ବୋଲି ଗଜପତି ଏସ୍ପି କହିଛନ୍ତି। ଏନେଇ ଅଡବା ଥାନାରେ ଏକ ମାମଲା ରୁଜୁ କରି ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

