Mon. Apr 20th, 2026

ନ୍ୟୁଜ ଡେକ୍ସ : ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ରାଜ୍ୟର କିଛି ଅଞ୍ଚଳରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ଏହାର ପ୍ରଭାବରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ସହ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଥିବା ସୂଚନା ମିଳିଛି। ହଠାତ୍ ପାଣିପାଗରେ ଏହି ପରିବର୍ତ୍ତନ ଫଳରେ କେତେକ ସ୍ଥାନରେ ଗରମରୁ ଅସ୍ଥାୟୀ ରାହାତ ମିଳିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ଏବଂ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଚମକିବା ସହ ହଳୁକରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଏହା ସହ ପାଣିପାଗ ବିଭାଗ କହିଛି ଯେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। କିନ୍ତୁ ଏହା ପରେ ତାପମାତ୍ରା ପୁନର୍ବାର ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ପରବର୍ତ୍ତୀ କିଛି ଦିନ ମଧ୍ୟରେ ଦିନର ତାପମାତ୍ରା ପ୍ରାୟ ୨ ରୁ ୩ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ବଜ୍ରପାତ ଓ ଘଡ଼ଘଡ଼ି ସମୟରେ ସତର୍କ ରହିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ବିଶେଷକରି ଖୋଲା ଜାଗାରେ ନ ରହିବା, ବଡ଼ ଗଛ ତଳେ ଆଶ୍ରୟ ନ ନେବା ଏବଂ ଆବଶ୍ୟକ ନଥିଲେ ବାହାରକୁ ନଯିବାକୁ ଲୋକମାନଙ୍କୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *