ନ୍ୟୁଜ ଡେକ୍ସ : ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ମହଳରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଛନ୍ତି।ସାମାଜିକ ଗଣମାଧ୍ୟମରେ ଏକ ସନ୍ଦେଶରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାହସ, ସରଳତା, ବିନମ୍ରତା ଏବଂ ଜନସେବା ପ୍ରତି ଅଟୁଟ ପ୍ରତିବଦ୍ଧତା ରାଷ୍ଟ୍ରପତି ମୁର୍ମୁଙ୍କ ବ୍ୟକ୍ତିତ୍ୱର ପରିଚୟ।
ସାର୍ବଜନୀନ ଜୀବନରେ ତାଙ୍କର ଅବଦାନ ଏବଂ ଦେଶର ବିକାଶ ପ୍ରତି ସମର୍ପଣ ସମଗ୍ର ଦେଶବାସୀଙ୍କ ପାଇଁ ପ୍ରେରଣାଦାୟକ ବୋଲି ସେ କହିଛନ୍ତି।ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଗସ୍ତ ସମୟରେ ସେ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ସମେତ ଏକାଧିକ ଜନହିତକର ଯୋଜନାର ଉଦ୍ଘାଟନ କରିଛନ୍ତି। ସେହିପରି ରାଇରଙ୍ଗପୁରରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଶୁଭାରମ୍ଭ ମଧ୍ୟ କରିଛନ୍ତି।ଏହାଛଡ଼ା ରାଷ୍ଟ୍ରପତି ୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଦେଶବାସୀଙ୍କୁ ସମର୍ପଣ କରିବେ।
ଏଥିରେ ଯଖପୁରା–ଯାଜପୁର କେନ୍ଦୁଝର ରୋଡ଼–ବୈତରଣୀ ରୋଡ଼ ବହୁମାର୍ଗ ରେଳ ପ୍ରକଳ୍ପ ଏବଂ ହିନ୍ଦୋଳ ରୋଡ଼–ମେରାମଣ୍ଡଳୀ ବହୁମାର୍ଗ ରେଳ ପ୍ରକଳ୍ପର ଲୋକାର୍ପଣ ସାମିଲ ରହିଛି।ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାରେ ରେଳ ଚଳାଚଳ କ୍ଷମତା ବୃଦ୍ଧି ପାଇବା ସହ ଶିଳ୍ପ କ୍ଷେତ୍ରର ପରିବହନ ବ୍ୟବସ୍ଥା ଏବଂ ଆଞ୍ଚଳିକ ସଂଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

