ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଉଥିବା ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତି। ଘର ପଞ୍ଜୀକରଣ ସମୟରେ ହେଉଥିବା ଆର୍ଥିକ ବୋଝକୁ କମାଇବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଯୋଜନା ଅଧୀନରେ ଘର ପାଉଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଲୋକମାନଙ୍କୁ ଏହା ଦ୍ୱାରା ବଡ଼ ଲାଭ ମିଳିବ ବୋଲି ଆଶା କରାଯାଉଛି।
ମିଳିଥିବା ସୂଚନା ଅନୁସାରେ, ୬୦ ବର୍ଗମିଟର ପର୍ଯ୍ୟନ୍ତ ଆବାସର ପଞ୍ଜୀକରଣ କ୍ଷେତ୍ରରେ ଷ୍ଟାମ୍ପ ଶୁଳ୍କ ଓ ପଞ୍ଜୀକରଣ ଶୁଳ୍କକୁ ମିଶାଇ ମୋଟ ଦେୟକୁ ୧ ପ୍ରତିଶତରୁ କମ୍ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହି ବ୍ୟବସ୍ଥା ଲାଗୁ ହେଲେ ଘର ପଞ୍ଜୀକରଣ ସମୟରେ ହିତାଧିକାରୀମାନଙ୍କର ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇବ।ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଚିଠି ଲେଖି ଆବଶ୍ୟକ ବିଜ୍ଞପ୍ତି ଓ ଆଦେଶ ଜାରି କରିବାକୁ ଅନୁରୋଧ କରିଛନ୍ତି।
ଏହା ସହିତ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରି ସମ୍ପର୍କିତ ତଥ୍ୟ କେନ୍ଦ୍ର ସରକାରଙ୍କୁ ପଠାଇବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ରାଜ୍ୟ ମନ୍ତ୍ରିମଣ୍ଡଳର ୪୧ତମ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ମିଳିଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ହଜାର ହଜାର ଆବାସ ହିତାଧିକାରୀ ଘର ପଞ୍ଜୀକରଣ ସମୟରେ ବଡ଼ ଆର୍ଥିକ ରିହାତି ପାଇବେ ଏବଂ ନିଜ ସ୍ୱପ୍ନର ଘର ପାଇବା ପ୍ରକ୍ରିୟା ଆହୁରି ସହଜ ହେବ।

