ନ୍ୟୁଜ ଡେକ୍ସ : ବାଲେଶ୍ୱର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ହରିପୁର ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଥିବା ରକ୍ତାକ୍ତ ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ପରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇନଥିବା ଅଭିଯୋଗରେ ମୃତକଙ୍କ ପରିବାର ଲୋକେ ମୃତଦେହକୁ ସାଇକେଲରେ ବୋହି ପ୍ରାୟ ୧୫ କିଲୋମିଟର ଦୂର ଥାନା ପର୍ଯ୍ୟନ୍ତ ନେଇ ଧାରଣାରେ ବସିଥିଲେ।
ସୂଚନା ଅନୁସାରେ, ଘର ଛାତ ପକାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିବାଡ଼ି ବିବାଦ ଲାଗି ରହିଥିଲା। ଶନିବାର ଦିନ ଏହି ବିବାଦ ହଠାତ୍ ଉତ୍ତେଜନାର ରୂପ ନେଇଥିଲା। ଅଭିଯୋଗ ଅନୁଯାୟୀ, ଗଣ୍ଡଗୋଳ ସମୟରେ ମାନସ ଜେନାଙ୍କ ପରିବାର ଲୋକେ ସୁରେନ୍ଦ୍ର ସେଠୀଙ୍କ ପରିବାର ଉପରେ କଟୁରିରେ ଆକ୍ରମଣ କରିଥିଲେ।ଏହି ଆକ୍ରମଣରେ ସୁରେନ୍ଦ୍ର ସେଠୀଙ୍କ ଭଉଣୀ କମଳା ସେଠୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଶକୁନ୍ତଳା ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।
ଘଟଣା ପରେ ମଧ୍ୟ ପୁଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବାରୁ କ୍ଷୁବ୍ଧ ପରିବାର ଲୋକେ କମଳାଙ୍କ ମୃତଦେହକୁ ସାଇକେଲରେ ବୋହି ଖଇରା ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଘଟଣାର ଗୁରୁତ୍ୱକୁ ଦେଖି ପ୍ରତ୍ୟୁଷ ଦିବାକର ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ପରିବାର ଲୋକଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଅଭିଯୁକ୍ତଙ୍କ ଶୀଘ୍ର ଗିରଫ ନେଇ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୪ ଘଣ୍ଟା ପରେ ଧାରଣା ହଟିଥିଲା।ଏହି ଘଟଣା ପୁଲିସ କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ସୃଷ୍ଟି କରିଥିବା ବେଳେ ଏବେ ସମସ୍ତଙ୍କ ନଜର ପୁଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।

