ନ୍ୟୁଜ ଡେକ୍ସ : ରାଜଧାନୀ ଦିଲ୍ଲୀରେ ପୁଣିଥରେ ମହିଳା ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି ଏକ ଲୋମହର୍ଷଣକାରୀ ଘଟଣା । ମଙ୍ଗୋଲପୁରି ଅଞ୍ଚଳରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଚଳନ୍ତା ବସ୍ ଭିତରେ ପ୍ରାୟ ୨ ଘଣ୍ଟା ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପରେ ଅଭିଯୁକ୍ତମାନେ ତାଙ୍କୁ ଏକ ନିଛାଟିଆ ସ୍ଥାନରେ ବସ୍ରୁ ଠେଲି ଦେଇ ପଳାଇଯାଇଥିଲେ । ଏହି ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ପୀଡିତା ଜଣେ କାରଖାନା କର୍ମଚାରୀ ହୋଇଥିବାବେଳେ ୧୧ ତାରିଖ ରାତିରେ କାମ ସାରି ଘରକୁ ଫେରୁଥିଲେ । ସରସ୍ୱତୀ ବିହାରର ବି-ବ୍ଲକ ବସ୍ଷ୍ଟାଣ୍ଡ ନିକଟରେ ସେ ଯାଉଥିବା ସମୟରେ ଏକ ଘରୋଇ ସ୍ଲିପର ବସ୍ ତାଙ୍କ ପାଖରେ ଅଟକିଥିଲା । ବସ୍ ଡୋର ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସେ ସମୟ ପଚାରିଥିଲେ । ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କୁ ଜୋରକରି ବସ୍ ଭିତରକୁ ଟାଣି ନେଇଥିଲା ।ଏହାପରେ ବସ୍ଟି ନାଙ୍ଗଲୋଇ ଅଭିମୁଖେ ଯାଇଥିଲା । ପ୍ରାୟ ୨ ଘଣ୍ଟା ଧରି ବସ୍ଟି ବିଭିନ୍ନ ରୁଟ୍ରେ ପ୍ରାୟ ୭ କିଲୋମିଟର ଘୁରିଥିବାବେଳେ ଡ୍ରାଇଭର ଓ ହେଲ୍ପର ମିଶି ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ବସ୍ରେ ପରଦା ଲାଗିଥିବାରୁ ବାହାରକୁ କୌଣସି ଶବ୍ଦ ଯାଇନଥିବା କୁହାଯାଇଛି । ପୀଡିତା ନିଜ ୩ଟି ପିଲାଙ୍କ କଥା କହି ତାଙ୍କୁ ଛାଡ଼ିଦେବାକୁ ଅଭିଯୁକ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ ସେମାନେ ତାଙ୍କ କଥା ଶୁଣିନଥିଲେ ।
ପରେ ଏକ ନିର୍ଜନ ସ୍ଥାନରେ ମହିଳାଙ୍କୁ ଓହ୍ଲାଇ ଅଭିଯୁକ୍ତମାନେ ବସ୍ ନେଇ ଫେରାର ହୋଇଯାଇଥିଲେ । ଏହାପରେ ପୀଡିତା ତୁରନ୍ତ ପିସିଆରକୁ ଫୋନ୍ କରି ଘଟଣା ବିଷୟରେ ସୂଚନା ଦେଇଥିଲେ । ଅଭିଯୋଗ ଆଧାରରେ ରାଣୀବାଗ ଥାନାରେ ମାମଲା ରୁଜୁ କରାଯାଇଥିଲା ।ତଦନ୍ତ ସମୟରେ ପୁଲିସ ନାଙ୍ଗଲୋଇ ମେଟ୍ରୋ ଷ୍ଟେସନ ନିକଟରୁ ବସ୍ଟିକୁ ଜବତ କରିଥିଲା । ଅଭିଯୁକ୍ତ ଡ୍ରାଇଭର ଉମେଶ ଓ ହେଲ୍ପର ରାମେନ୍ଦ୍ରଙ୍କୁ ଗିରଫ କରାଯାଇଛି । ତଦନ୍ତରୁ ଜଣାପଡ଼ିଛି ଯେ, ବସ୍ଟି ବିହାରର ଗୋପାଳଗଞ୍ଜ ଆରଟିଓରେ ପଞ୍ଜୀକୃତ ହୋଇଥିଲା ଏବଂ ଦିଲ୍ଲୀ-ବିହାର ମଧ୍ୟରେ ଚଳାଚଳ କରୁଥିଲା ।
କେବଳ ପର୍ଯ୍ୟଟକ ପରିବହନ ପାଇଁ ଅନୁମତି ଥିବା ସତ୍ତ୍ୱେ ବସ୍ଟି ସାଧାରଣ ଯାତ୍ରୀ ପରିବହନ କରୁଥିବା ଜଣାପଡ଼ିଛି ।ଏହି ବସ୍ ବିରୋଧରେ ପୂର୍ବରୁ ମଧ୍ୟ ଏକାଧିକ ଆଇନ ଉଲ୍ଲଂଘନ ମାମଲା ରହିଥିବାବେଳେ ପ୍ରାୟ ୧୦ ଲକ୍ଷ ଟଙ୍କାର ଚାଲାଣ କଟାଯାଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଦିଲ୍ଲୀରେ ମହିଳା ସୁରକ୍ଷା ଏବଂ ବେଆଇନ ବସ୍ ଚଳାଚଳକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।

