Wed. Jun 3rd, 2026

ନ୍ୟୁଜ ଡେକ୍ସ : ସୁନ୍ଦରଗଡ଼ରେ ଘଟିଛି ଏକ ହୃଦୟବିଦାରକ ବର୍ବରକାଣ୍ଡ। ଦୁର୍ଘଟଣା ପରେ ଜଣେ ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ଉତ୍ତ୍ୟକ୍ତ ଡ୍ରାଇଭରମାନେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ଭସ୍ମା ଥାନା ଅଞ୍ଚଳର ସୁରଡା ଛକରେ ଏହି ଘଟଣା ଘଟିଛି।ମୃତକ ହେଲେ ଭସ୍ମା ଥାନା ଅନ୍ତର୍ଗତ ଗୁଲଠା ଗାଁର ୩୬ ବର୍ଷୀୟ ରାଜେଶ ମୁଣ୍ଡା।

ସୂଚନା ଅନୁସାରେ, ରାଜେଶ ଗତକାଲି ଗାଡିର ଟାୟାର ମରାମତି କରି ନିଜ ଗାଁକୁ ଫେରୁଥିବା ବେଳେ ସୁରଡା ଛକରେ ହଠାତ୍ ରାସ୍ତା ଉପରକୁ ଆସିଥିବା ଟ୍ରକ ଚାଳକ ମୁକେଶ ଯାଦବଙ୍କୁ ପିକଅପ ଭ୍ୟାନ ଧକ୍କା ଦେଇଥିଲା। ଏଥିରେ ମୁକେଶଙ୍କ ଗୋଡ଼ ଭାଙ୍ଗିଯାଇଥିଲା।ଦୁର୍ଘଟଣା ପରେ ରାଜେଶ ସ୍ଥାନ ଛାଡ଼ି ନ ଯାଇ ଆହତ ମୁକେଶଙ୍କୁ ହସ୍ପିଟାଲ ନେବା ପାଇଁ ଅପେକ୍ଷା କରୁଥିଲେ। କିନ୍ତୁ ଏହି ସମୟରେ ସେଠାରେ ଥିବା କିଛି ଅନ୍ୟ ଡ୍ରାଇଭର ଉତ୍ତ୍ୟକ୍ତ ହୋଇ ରାଜେଶଙ୍କୁ ଘେରି ଲୁହା ରଡ଼ରେ ଆକ୍ରମଣ କରିଥିଲେ। ମୁଣ୍ଡରେ ଗୁରୁତର ଆଘାତ ଲାଗି ରାଜେଶ ଗୁରୁତର ହୋଇପଡ଼ିଥିଲେ।

ପରେ ସଂକଟାପନ୍ନ ଅବସ୍ଥାରେ ରାଜେଶ ଓ ଆହତ ମୁକେଶଙ୍କୁ ସୁନ୍ଦରଗଡ଼ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ରାଜେଶଙ୍କୁ ମୃତ ଘୋଷଣା କରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଆହତ ମୁକେଶଙ୍କ ଚିକିତ୍ସା ଚାଲିଛି।ଏହି ଘଟଣାରେ ରାଜେଶଙ୍କ ଗାଡ଼ି ମାଲିକ ସମରେନ୍ଦ୍ର ପରିଡାଙ୍କ ଏତଲା ଆଧାରରେ ପୋଲିସ ମନିଶ କୁମାର, ବିକାଶ କୁମାର ଓ ଅମ୍ରିତ ଲାଲଙ୍କୁ ଅଟକ ରଖିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଏହାସହ ଆଜି ଜିଲ୍ଲା ଏସପି ନିଜେ ଘଟଣାସ୍ଥଳ ପରିଦର୍ଶନ କରିବେ।

Leave a Reply

Your email address will not be published. Required fields are marked *