Wed. Apr 22nd, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଦିନକୁ ଦିନ ବଢୁଥିବା ତାତି ଲୋକମାନଙ୍କୁ କଲବଲ କରୁଛି। ସକାଳ ୯ଟା ପରେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ତାପମାତ୍ରା ବୃଦ୍ଧି ସହ ଗରମ ପବନ ଲୋକଙ୍କୁ ଅସହ୍ୟ କ୍ଲାନ୍ତି ଦେଉଛି। ଏହି ପରିସ୍ଥିତି ଆଗାମୀ ୭ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରିଛି।ବିଶେଷକରି ୨୩ରୁ ୨୫ ତାରିଖ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଆହୁରି ତୀବ୍ର ହେବ ଏବଂ ଏହି ସମୟରେ କୌଣସି ଆଶ୍ୱସ୍ତି ମିଳିବା ନାହିଁ।

ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନ ହେବାରୁ ତାତିର ପ୍ରଭାବ ଜାରି ରହିବ।ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳରେ ଅବସ୍ଥା ଅତ୍ୟନ୍ତ ଗମ୍ଭୀର। ଝାରସୁଗୁଡା, ଟିଟିଲାଗଡ, ନୂଆପଡା, ବଲାଙ୍ଗୀର ଓ ଭବାନୀପାଟଣା ଅଞ୍ଚଳରେ ଅସହ୍ୟ ତାତି ଅନୁଭୂତ ହେଉଛି। ଏହାର ପ୍ରଭାବରେ ସାଧାରଣ ଜନଜୀବନ ବିପର୍ୟସ୍ତ ହୋଇପଡ଼ିଛି।ତେବେ ବଢୁଥିବା ତାତିକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦେଶ ଜାରି କରିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଛି।ଅନ୍ୟପଟେ ଅଂଶୁଘାତର ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର ପୂରାପୁରି ସଜାଗ ରହିଛନ୍ତି।

ବାହାରେ କାମ କରୁଥିବା ଶ୍ରମିକ ଓ ଯାତ୍ରୀମାନଙ୍କୁ ଦିନରେ କାମ ନ କରିବା ପାଇଁ ସୂଚନା ଦିଆଯାଇଛି। କୌଣସି ଠିକା ସଂସ୍ଥା ଯଦି ଶ୍ରମିକମାନଙ୍କୁ ବାଧ୍ୟ କରି ଦିନବେଳେ କାମ କରାଉଛି, ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।ଏପରି ପରିସ୍ଥିତିରେ ଲୋକମାନଙ୍କୁ ଅତ୍ୟାବଶ୍ୟକ କାମ ଛାଡ଼ି ଘରୁ ବାହାରୁନଥିବାକୁ ଏବଂ ପ୍ରୟୋଜନୀୟ ସାବଧାନତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *