Thu. Apr 23rd, 2026

ନ୍ୟୁଜ ଡେକ୍ସ : ରାଜ୍ୟର କର୍ମଜୀବୀମାନଙ୍କ ପାଇଁ ବଡ଼ ସହାୟତା ସୃଷ୍ଟି କରି ରାଜ୍ୟ ସରକାର ବୃତ୍ତି କର (ପ୍ରଫେସନାଲ ଟ୍ୟାକ୍ସ) ଉଚ୍ଛେଦ କରିଛନ୍ତି। ଚଳିତ ମାସରୁ କର୍ମଚାରୀମାନଙ୍କଠାରୁ ଆଉ ଏହି କର ସଂଗ୍ରହ କରାଯିବ ନାହିଁ। ଏନେଇ ଅର୍ଥ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିବା ସହ ସମସ୍ତ ବିଭାଗକୁ ଚିଠି ଲେଖି ସରକାରୀ କର୍ମଚାରୀଙ୍କ ଦରମାରୁ ବୃତ୍ତି କର କଟାଯିବ ନାହିଁ ବୋଲି ସୂଚନା ଦିଆଯାଇଛି।

ଏହି ନିୟମ ସରକାରୀ କର୍ମଚାରୀଙ୍କ ସହିତ ସମସ୍ତ ଘରୋଇ କର୍ମଚାରୀଙ୍କ ପାଇଁ ମଧ୍ୟ ଚଳିତ ମାସ ୧ ତାରିଖରୁ ଲାଗୁ ହୋଇଛି। ଗତ ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଥିଲେ। ପ୍ରାକ୍ ବଜେଟ ଆଲୋଚନା ସମୟରେ ଲୋକମାନଙ୍କ ପକ୍ଷରୁ ବୃତ୍ତି କର ଉଚ୍ଛେଦ ପାଇଁ ଦାବି ଆସିଥିବାରୁ ସରକାର ଏହାକୁ ବିଚାର କରି ଏହି ପଦକ୍ଷେପ ନେଇଥିବା କଥା ସେ କହିଥିଲେ।ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, କର୍ମଜୀବୀମାନେ ପୂର୍ବରୁ ଆୟକର ଦେଉଥିବା ବେଳେ ବୃତ୍ତି କର ସେମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ସୃଷ୍ଟି କରୁଥିଲା। ତେଣୁ ଏହାକୁ ହଟାଇ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କର ଉଚ୍ଛେଦ ହେବା ଫଳରେ ରାଜ୍ୟର ରାଜକୋଷ ଉପରେ ପ୍ରତିବର୍ଷ ପ୍ରାୟ ୩୨୦ କୋଟି ଟଙ୍କାର ଆର୍ଥିକ ପ୍ରଭାବ ପଡ଼ିବ।

ପୂର୍ବରୁ ସରକାରୀ ଓ ବେସରକାରୀ ବେତନଭୋଗୀ, ବ୍ୟବସାୟୀ, ଡାକ୍ତର, ଆଇନଜୀବୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ବୀମା ଏଜେଣ୍ଟ, ବ୍ରୋକର, ଆର୍କିଟେକ୍ଟ ଓ ଅନ୍ୟାନ୍ୟ ବୃତ୍ତିଧାରୀଙ୍କଠାରୁ ଏହି କର ଆଦାୟ କରାଯାଉଥିଲା।ସାଧାରଣତଃ ବାର୍ଷିକ ସର୍ବନିମ୍ନ ୨୫୦୦ ଟଙ୍କା ବୃତ୍ତି କର ଭାବେ ଆଦାୟ ହୁଏଥିଲା ଏବଂ ବେତନଭୋଗୀଙ୍କଠାରୁ ଏହା ମାସିକ ଭାବେ କଟାଯାଉଥିଲା। ବ୍ୟବସାୟୀମାନେ ସିଧାସଳଖ ଭାବେ ଏହି କର ଦେଇଥାନ୍ତି। ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ମଧ୍ୟ ଏହି କର ଦେଇଆସୁଥିଲେ।ବୃତ୍ତି କର ଉଚ୍ଛେଦ ସହିତ ରାଜ୍ୟର ଲକ୍ଷାଧିକ କର୍ମଜୀବୀ ଏବେ ଆର୍ଥିକ ଆଶ୍ୱସ୍ତି ପାଇବେ।

Leave a Reply

Your email address will not be published. Required fields are marked *