Sat. Apr 18th, 2026

ନ୍ୟୁଜ ଡେକ୍ସ : ୟଶ ରାଜ ଫିଲ୍ମସର ସୁପରହିଟ୍ ଚଳଚ୍ଚିତ୍ର ‘ଦିଲୱାଲେ ଦୁଲହାନିଆ ଲେ ଜାଏଙ୍ଗେ’ (ଡିଡିଏଲଜେ)ର ୩୦ ବର୍ଷ ପୂର୍ତ୍ତି ଅବସରରେ ଗୁରୁବାର ଲଣ୍ଡନର ଐତିହାସିକ ଲିସେଷ୍ଟର ସ୍କୋୟାରରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ସିଗ୍ନେଚର ପୋଜର ଏକ ସୁନ୍ଦର ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ କରାଯାଇଛି। ଏହା ସହିତ ଫିଲ୍ମର ଲୋକପ୍ରିୟ ନାୟିକା କାଜୋଲଙ୍କ ପ୍ରତିମା ମଧ୍ୟ ସେଠାରେ ସ୍ଥାପିତ କରାଯାଇଛି।

ଏହି ଐତିହାସିକ ମୁହୂର୍ତ୍ତରେ ୟଶ ରାଜ ଫିଲ୍ମସର ସିଇଓ ଅକ୍ଷୟ ବିଧାନୀ ଏବଂ ‘ହାର୍ଟ ଅଫ୍ ଲଣ୍ଡନ ବିଜନେସ୍ ଆଲାଏନ୍ସ’ର ସିଇଓ ରସ୍ ମୋର୍ଗାନ୍ ମଧ୍ୟ ଉପସ୍ଥିତ ଥିଲେ। ଏହି ପ୍ରତିମା ସହ ଶାହରୁଖ ଖାନ ‘ହ୍ୟାରି ପୋଟର୍’, ‘ମେରୀ ପପିନ୍ସ’, ‘ପାଡିଂଟନ୍’ ଏବଂ ‘ସିଙ୍ଗିଂ ଇନ୍ ଦ ରେନ୍’ ଭଳି ଅନ୍ତର୍ଜାତୀୟ ଲୋକପ୍ରିୟ ଚଳଚ୍ଚିତ୍ର ଚରିତ୍ରମାନଙ୍କ ସାରିରେ ସ୍ଥାନ ପାଇଛନ୍ତି।ଶାହରୁଖ ଖାନ ଓ କାଜୋଲଙ୍କ ପ୍ରତିମା ଉନ୍ମୋଚନର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ଏଥିରେ ଶାହରୁଖ କଳା ରଙ୍ଗର ସୁଟ୍ ପିନ୍ଧିଥିବା ବେଳେ କାଜୋଲ ହାଲୁକା ସବୁଜ ରଙ୍ଗର ଶାଢ଼ିରେ ଦେଖାଯାଉଛନ୍ତି। ଉଭୟ ଏକାଠି ଫୋଟୋ ଉଠାଇ ଏହି ଗୌରବମୟ ମୁହୂର୍ତ୍ତକୁ ସ୍ମରଣୀୟ କରିଥିଲେ।

ଆଦିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଦିଲୱାଲେ ଦୁଲହାନିଆ ଲେ ଜାଏଙ୍ଗେ’ ଭାରତୀୟ ସିନେମାର ସବୁଠାରୁ ଲୋକପ୍ରିୟ ଓ ଐତିହାସିକ ଚଳଚ୍ଚିତ୍ରମଧ୍ୟରୁ ଗୋଟିଏ। ଫିଲ୍ମର ରାଜ ଓ ସିମରନ୍ ଚରିତ୍ର ଦଶକରୁ ଦଶକ ଧରି ଦର୍ଶକଙ୍କ ହୃଦୟରେ ଅମିଟ ଛାପ ଛାଡ଼ିବାରେ ସଫଳ ହୋଇଛି। ୩୦ ବର୍ଷ ପରେ ମଧ୍ୟ ଏହି ଫିଲ୍ମର ମାୟା ଓ ଲୋକପ୍ରିୟତା କମିନଥିବା ପୁଣିଥରେ ପ୍ରମାଣିତ ହୋଇଛି।

Leave a Reply

Your email address will not be published. Required fields are marked *